କେନ୍ଦ୍ର ବନାମ ପଶ୍ଚିମବଂଗ: ପ୍ରଧାନମନ୍ତ୍ରୀଙ୍କୁ ନେଇ ମିଛ କହିଛନ୍ତି ମମତା; କେନ୍ଦ୍ର

କେନ୍ଦ୍ରର ଆକ୍ରୋଶମୂଳକ ପଦକ୍ଷେପ ବିରୋଧରେ ଲଢ଼େଇ ଜାରି ରହିବ: ମମତା

ନୂଆଦିଲ୍ଲୀ: ବାତ୍ୟା ‘ୟାସ୍‌’ ସଂପର୍କିତ କ୍ଷୟକ୍ଷତି ଆକଳନ ପାଇଁ ନିକଟରେ ପଶ୍ଚିମବଂଗ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ସଚିବ ଆଳାପନ ବନ୍ଦୋପାଧ୍ୟାୟ ସାମିଲ ନହେବା ମାମଲା ନେଇ ଏବେ କେନ୍ଦ୍ର ଓ ରାଜ୍ୟ ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ପଶ୍ଚିମବଂଗ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବାବଦରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯେଉଁ ବୟାନ ଦେଇଛନ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁମତି ନେଇ ସେ ବୈଠକକୁ ଯାଇନଥିଲେ ବୋଲି ଯାହା କହିଛନ୍ତି ତାହାକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ବୈଠକ ବାବଦରେ ରାଜ୍ୟ ସରକାରଙ୍କ ସହିତ ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିଲା ଏବଂ ମୁଖ୍ୟମନ୍ତ୍ରୀ ଜାଣିଶୁଣି ସମୀକ୍ଷା ବୈଠକରେ ଯୋଗ ଦେଇନଥିଲେ ବୋଲି କୁହାଯାଇଛି। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କୁ ବିମାନ ବନ୍ଦରରେ ୨୦ ମିନିଟ୍‌ ଅପେକ୍ଷା କରିବାକୁ ପଡ଼ିଲା ବୋଲି ମମତାଙ୍କ ବୟାନ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କେନ୍ଦ୍ର ସରକାର ତାଙ୍କ ଜବାବରେ କହିଛନ୍ତି ।

ସୁରକ୍ଷା ପ୍ରୋଟକଲ ଅନୁଯାୟୀ ସବୁକିଛି ନିର୍ଦ୍ଧାରିତ ପ୍ରକ୍ରିୟାରେ ହୋଇଥିଲା ଏବଂ ଏ ବାବଦରେ ମମତାଙ୍କ ବୟାନ ଆଦୌ ଠିକ୍‌ ନୁହେଁ ବୋଲି କୁହାଯାଇଛି। ନିଜର ଅନ୍ୟ ବୈଠକ ଅଛି ବୋଲି କହି ମମତା ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଛାଡ଼ି ପଳାଇଯିବା କଥା ସମସ୍ତେ ଜାଣନ୍ତି ବୋଲି କୁହାଯାଇଛି। ଅନ୍ୟପକ୍ଷରେ ରାଜ୍ୟପାଳ ଜଗଦୀପ ଧନଖଡ଼ ଆଜି କହିଛନ୍ତି ଯେ ସମୀକ୍ଷା ବୈଠକ ପୂର୍ବଦିନ (୨୭ ତାରିଖ) ରାତି ୧୧.୧୬ରେ ଫୋନ୍‌ କରି ମମତା ତାଙ୍କୁ କହିଲେ, ସମୀକ୍ଷା ବୈଠକରେ ଯଦି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଉପସ୍ଥିତ ରହିବେ ତେବେ ସେ ବୈଠକରେ ଯୋଗଦେବେ ନାହିଁ। ଏଭଳି ଆଚରଣ ସଂଘୀୟ ବ୍ୟବସ୍ଥାର ଘୋର ବିରୋଧୀ ବୋଲି ରାଜ୍ୟପାଳ କହିଛନ୍ତି।

ଅନ୍ୟପକ୍ଷରେ ମମତା ବାନାର୍ଜୀ ଆଜି ବୈଠକ ସେ ଯୋଗ ନଦେବା ନେଇ କେନ୍ଦ୍ରର ଆଭିମୁଖ୍ୟକୁ କଡ଼ା ସମାଲୋଚନା କରିଛନ୍ତି।କେନ୍ଦ୍ର ସରକାରଙ୍କ ‘ଏକଛତ୍ରବାଦୀ ଆଚରଣ’ ବିରୋଧରେ ସମସ୍ତ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ଏକଜୁଟ ହେବାକୁ ମମତା ଆହ୍ବାନ ଦେଇଛନ୍ତି। କେନ୍ଦ୍ରର ଆକ୍ରୋଶମୂଳକ ପଦକ୍ଷେପ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ମମତା କହିଛନ୍ତି।

ସମ୍ବନ୍ଧିତ ଖବର