ବାତ୍ୟା ପାଇଁ ସତର୍କ କଲା କେନ୍ଦ୍ର, ଯେଉଁମାନେ ସ୍ଥାନାନ୍ତର ହେବେ ତାଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କର

ନୂଆଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ରାଜ୍ୟ ଓ ଆଣ୍ଡାମାନ ନିକୋବର ପ୍ରଶାସନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଚିବ ରାଜେଶ ଭୂଷଣ ୧୫ ସୂତ୍ରୀ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି। ହେଲ୍‌ଥ ସେକ୍ଟର ଇନ୍‌ସିଡେଣ୍ଟ କମାଣ୍ଡ ସିଷ୍ଟମ ଓ ଏମର୍ଜେନ୍‌ସି ଅପରେସନ କେନ୍ଦ୍ର ଓ କଣ୍ଟ୍ରୋଲ ରୁମ୍‌କୁ କ୍ରିୟାଶୀଳ କରିବା ପାଇଁ ପାଞ୍ଚ ରାଜ୍ୟକୁ କୁହାଯାଇଛି। ନୋଡାଲ ଅଫିସରଙ୍କୁ ଚିହ୍ନଟ କରି ଶୀଘ୍ର ତାଙ୍କର ଯୋଗାଯୋଗର ଠିକଣା ମନ୍ତ୍ରାଳୟକୁ ପଠାଇବା ପାଇଁ ସ୍ୱାସ୍ଥ୍ୟ ସଚିବ ପତ୍ରରେ ଲେଖିଛନ୍ତି। ହସ୍‌ପିଟାଲଗୁଡ଼ିକର ଜରୁରିକାଳୀନ ବିଭାଗଗୁଡ଼ିକର ସମୀକ୍ଷା କରାଯିବାକୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଦର୍ଶାଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ସ୍ଥାନାନ୍ତରିତ ହେବାକୁ ଯାଉଥିବା ଲୋକମାନଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରିବା ପାଇଁ ମଧ୍ୟ କୁହାଯାଇଛି।

କେନ୍ଦ୍ର କହିଛି, ନିରାପଦ ସ୍ଥାନ ଓ ବୃହତ୍ ହସ୍‌ପିଟାଲ୍‌ଗୁଡ଼ିକୁ ଆଗୁଆ ସ୍ଥାନାନ୍ତରୀକରଣ କରାଯିବା ଦରକାର। ପ୍ରଭାବିତ ନହେବାକୁ ଥିବା ଜିଲ୍ଲାମାନଙ୍କରୁ ଅତିରିକ୍ତ ମାନବ ସମ୍ବଳର ବ୍ୟବସ୍ଥା କରାଯାଇ ପ୍ରଭାବିତ ଅଞ୍ଚଳମାନଙ୍କର କୋଭିଡ୍ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବା ଦରକାର। ସମସ୍ତ ହସ୍‌ପିଟାଲ, ପ୍ରୟୋଗଶାଳା, ଭ୍ୟାକ୍‌ସିନ କୋଲ୍ଡ ଚେନ୍, ଅକ୍ସିଜେନ୍ ଉତ୍ପାଦନ ୟୁନିଟ୍‌ସ ତଥା ସହାୟକ ମେଡିକାଲ ସୁବିଧାରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯିବା ଉଚିତ୍। ସମ୍ଭାବ୍ୟ ବାତ୍ୟା କାରଣରୁ ପରିବହନ ସେବା ବ୍ୟାହତ ହେବା ଆଶଙ୍କା ଦୃଷ୍ଟିରୁ ଅତ୍ୟାବଶ୍ୟକ ଔଷଧ ଓଆର୍‌ଏସ୍, କ୍ଲୋରାଇନ୍ ଟାବ୍‌ଲେଟ୍, ବ୍ଲିଚିଂ ପାଉଡରଗୁଡ଼ିକର ଗଚ୍ଛିତକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟମାନଙ୍କୁ ଅବଗତ କରାଯାଇଛି।

ଅକ୍ସିଜେନ୍ ଟ୍ୟାଙ୍କର ସୁନିଶ୍ଚିତ କରିବା, ଖାଲି ଟ୍ୟାଙ୍କରଗୁଡ଼ିକର ଆଗୁଆ ପରିବହନ ଏୟାର ଫୋର୍ସ ଏୟାର କ୍ରାଫ୍‌ଟ ଓ ଭାରତୀୟ ରେଳ ଯୋଗେ କରାଯିବା ପାଇଁ ଓଡ଼ିଶା ସମେତ ୫ ରାଜ୍ୟକୁ କୁହାଯାଇଛି। କାର୍ଯ୍ୟକ୍ଷମ ଥିବା ଆମ୍ବୁଲାନ୍‌ସ ସେବାଗୁଡ଼ିକର ଆକଳନ କରାଯାଇ ପ୍ରଭାବିତ ହେବାକୁ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ମୃତୟନ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ଲକ୍ଷଣଥିବା ନେଗେଟିଭ୍ ମାମଲାରେ ଆର୍‌ଟିପିସିଆର ପରୀକ୍ଷା କରାଯିବା ପାଇଁ କୁହାଯାଇଛି। ସ୍ଥାନାନ୍ତରିତ ହେବାକୁ ଯାଉଥିବା ଲୋକମାନଙ୍କର ରାପିଡ୍ ଆଣ୍ଟିଜେନ୍ ପରୀକ୍ଷା କରିବା ପାଇଁ ମଧ୍ୟ କୁହାଯାଇଛି। ବରିଷ୍ଠ ନାଗରିକ ଯେଉଁମାନେ ମଧୁମେହ (ଡାଇବେଟିସ୍), ହାଇପରଟେନ୍‌ସନ୍, ଯକୃତ (ଲିଭର), ବୃକ୍‌କ (କିଡ୍‌ନି) ଜନିତ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ କୋଭିଡ୍ ପରିପ୍ରେକ୍ଷୀରେ ହାଇ ରିସ୍କ ଦୃଷ୍ଟିରୁ ବିଶେଷ ରୂପେ ତଦାରଖ୍ କରିବା ପାଇଁ କୁହାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କର ମୁଖ୍ୟ ହସ୍‌ପିଟାଲମାନଙ୍କୁ ସେଟ୍‌ଲାଇଟ୍ ଫୋନ୍ ଓ ଓ ‘ହାମ୍’ ରେଡିଓ ଯୋଗାଇ ଦେବା ପାଇଁ କୁହାଯାଇଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲା ଓ ବ୍ଲକ୍ ପ୍ରଶାସନକୁ ତଳ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଚିହ୍ନଟ କରିବା ପାଇଁ ମଧ୍ୟ କୁହାଯାଇଛି।

୨୪ ତାରିଖ ଦିନ ବାତ୍ୟାର ଲ୍ୟାଣ୍ଡଫଲ୍ ତଥା ବେଗରେ ଆକଳନ ଅନୁସାରେ ସମ୍ବନ୍ଧିତ ଜିଲ୍ଲାମାନଙ୍କର ହସ୍‌ପିଟାଲର ରୋଗୀମାନଙ୍କୁ ସ୍ଥାନାନ୍ତକରଣ ପାଇଁ ଆଗୁଆ ଯୋଜନା ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ସମେତ ୫ ରାଜ୍ୟକୁ କୁହାଯାଇଛି। କୋଭିଡ୍ ପରିଚାଳନା ପାଇଁ ଯୋଗାଇ ଦିଆଯାଇଥିବା ଅର୍ଥରାଶି ଏନ୍‌ଏଚ୍‌ଏମ୍ ଫ୍ଲେକ୍ସି ପାଣ୍ଠିକୁ ଆବଶ୍ୟକତା ପୂରା କରିବା ପାଇଁ ରାଜ୍ୟମାନେ ଖର୍ଚ୍ଚ କରିପାରିବେ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର