ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ସରକାରଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ରାଜ୍ୟର ଏକ ସୁନାଖଣି ସମେତ ୧୦ଟି ଖଣିଜ ବ୍ଲକ ନିଲାମ କରିବାକୁ ଖଣି ମନ୍ତ୍ରଣାଳୟ କହିଛି।

Advertisment

ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯଦି ରାଜ୍ୟ ଏହା କରିବାରେ ବିଫଳ ହୁଏ ତେବେ କେନ୍ଦ୍ର ଏହି ଖଣିଗୁଡ଼ିକର ନିଲାମ ପ୍ରକ୍ରିୟା ଆରମ୍ଭ କରିବ। ଏହି ବ୍ଲକଗୁଡ଼ିକ ଜି-୨ (ସାଧାରଣ) ଏବଂ ଜି-୩ (ପ୍ରାରମ୍ଭିକ) ସ୍ତରର ଅନୁସନ୍ଧାନର ଅଟେ।

ଏହି ୧୦ଟି ବ୍ଲକରେ ଗୋଟିଏ ତମ୍ବା ଖଣି, ଗୋଟିଏ ଚୂନ ପଥର ଖଣି ଏବଂ ଗ୍ରାଫାଇଟ୍ ଖଣି ଅନ୍ତର୍ଭୁକ୍ତ ବୋଲି ସୂତ୍ରରୁ ପ୍ରକାଶ। ୨୦୨୧ ମସିହାରେ ଖଣି ନିୟମର ସଂଶୋଧନ ଅନୁଯାୟୀ, ଯଦି ରାଜ୍ୟ ସରକାର ପରସ୍ପର ସହମତି ଅବଧି ମଧ୍ୟରେ ଖଣି ନିଲାମ କରିବାରେ ବିଫଳ ହୁଅନ୍ତି ତେବେ କେନ୍ଦ୍ର ସରକାରଙ୍କର ଖଣିଜ ବ୍ଲକକୁ ନିଲାମ କରିବାର ଅଧିକାର ରହିଛି।

ସୂତ୍ରରୁ ପ୍ରକାଶ ଯେ ଖଣିଜ ବ୍ଲକଗୁଡିକର ନିଲାମ କରିବାରେ ଝାଡଖଣ୍ଡ ସରକାର ଅନ୍ୟ ରାଜ୍ୟମାନଙ୍କଠାରୁ ପଛରେ ଅଛନ୍ତି। ଭାରତ ଜିଓଲୋଜିକାଲ ସର୍ଭେ ଦ୍ବାରା ଝାଡଖଣ୍ଡ ସରକାରଙ୍କ ନିକଟରେ ଦାଖଲ ହୋଇଥିବା ୩୮ ଟି ଭୌଗୋଳିକ ରିପୋର୍ଟ ମଧ୍ୟରୁ କେବଳ ପାଞ୍ଚଟି ନିଲାମ ପାଇଁ ବ୍ୟବହୃତ ହୋଇଛି।

ଡିସେମ୍ବର ୨୦୨୧ ସୁଦ୍ଧା ନିଲାମ ପାଇଁ ୧୫ ଟି ବ୍ଲକକୁ ଅବଗତ କରାଇବାକୁ ରାଜ୍ୟ ସରକାର ନିଶ୍ଚିତ କରିଥିଲେ। ତେବେ ଏହି ନିଲାମ ପାଇଁ
କେବଳ ଚାରିଟି ବ୍ଲକକୁ ରାଜ୍ୟ ପକ୍ଷରୁ ନିଲାମ ପାଇଁ ସୂଚିତ କରାଯାଇଛି। ଅବଶିଷ୍ଟଶି ୧୧ ଟି ଖଣି ମଧ୍ୟରୁ ଗୋଟିଏ ପୋଟାସ୍ ବ୍ଲକ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ କେନ୍ଦ୍ର ଦ୍ୱାରା ନିଲାମ କରାଯିବ। ଅବଶିଷ୍ଟଶି ୧୦ ଟି ବ୍ଲକକୁ ରାଜ୍ୟ ଦ୍ୱାରା ନିଲାମ ପାଇଁ ଅବଗତ କରାଯିବ।

ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷରେ ଦେଶରେ ଏପର୍ଯ୍ୟନ୍ତ ୧୨ଟି ଖଣିଜ ବ୍ଲକ ସଫଳତାର ସହ ନିଲାମ ହୋଇଛି। ନିଲାମ ହୋଇଥିବା ସମସ୍ତ ବ୍ଲକ ରାଜସ୍ଥାନରେ ଅଛି। ଏହି ବ୍ଲକଗୁଡିକ ଆମ୍ବୁଜା ସିମେଣ୍ଟସ୍ ଲିମିଟେଡ୍ ଏବଂ ଜେ.କେ ସିମେଣ୍ଟ ଲିମିଟେଡ୍ ଭଳି କମ୍ପାନୀମାନଙ୍କୁ ଦିଆ ଯାଇଛି।