ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏବେ ଠାରୁ ସତର୍କ ନହେଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ। ପରିସ୍ଥିତିର ମୁକାବିଲା ଲାଗି କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ରାଜ୍ୟମାନଙ୍କୁ ଆଜି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଟିକାକରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମଧ୍ୟ କହିଛନ୍ତି।

Advertisment

ଲଗାତାର ୨୦ ଦିନ ଧରି ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ‌ଦେଶରେ ୫୬ ହଜାର ୨୧୧ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୨୭୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ପଂଜାବ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ତାମିଲନାଡ଼ୁ ଏବଂ ଗୁଜରାଟରେ ଲଗାତାର ଅଧିକ ମାତ୍ରାରେ ସଂକ୍ରମଣ ବଢ଼ୁଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଏହି ୬ ରାଜ୍ୟରୁ ୭୮.୫୬ ପ୍ରତିଶତ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୩୧ ହଜାର ୬୪୩ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ପଂଜାବରେ ୨୮୬୮, କର୍ଣ୍ଣାଟକରେ ୨୭୯୨ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସକ୍ରିୟ ମାମଲାର କେବଳ ୬୨ ପ୍ରତିଶତ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୨୦ ଲକ୍ଷ ୯୫ ହଜାର ୮୫୫ରେ ପହଞ୍ଚି ଥିବାବେଳେ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୨ ହଜାର ୧୧୪କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ସକ୍ରିୟ ମାମଲା ୫ ଲକ୍ଷ ଟପିଛି।

ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇଛି। ଦେଶରେ ଏଯାବତ୍‌ ୬ କୋଟି ୧୧ ଲକ୍ଷ ଲୋକ କରୋନା ଟିକା ନେଲେଣି। ଟିକାକରଣର ୭୩ ଦିନରେ ତଥା ମାର୍ଚ୍ଚ ୨୯ରେ ୫,୮୨,୯୧୯ ଡୋଜ୍‌ ଟିକା ଦିଆଯାଇଛି। ତେବେ ଗୋଟିଏ ପ‌ଟେ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା ବଢ଼ୁଥିଲେ ମଧ୍ୟ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତରେ ମୃତ୍ୟୁ ହାର ବିଶ୍ବରେ ସବୁଠୁ କମ୍‌ ରହିଛି। ଏହି ହାର ଦେଶରେ ୧.୩୪ ପ୍ରତିଶତ ଅଛି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୧,୧୩,୯୩,୦୨୧କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୩୭,୦୨୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।