ନୂଆଦିଲ୍ଲୀ : କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ବିରୋଧ କରି ସୁପ୍ରିମ୍କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଧାରା ୩୭୭କୁ ଅପରାଧ ଶ୍ରେଣୀରୁ ବାହାର କରି ଦିଆଗଲେ ମଧ୍ୟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାର ପ୍ରଶ୍ନ ଉଠୁନି। ତେବେ ମାନ୍ୟତା ନ ମିଳିଲେ ମଧ୍ୟ ଏ ପ୍ରକାର ସମ୍ବନ୍ଧ ବେଆଇନ ନୁହେଁ।
କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ପ୍ରକୃତିର ବିରୋଧୀ ବୋଲି କହିଛନ୍ତି। ପୂରା ଇତିହାସରେ ଭିନ୍ନ ଲିଙ୍ଗରେ ବିବାହକୁ ହିଁ ଆଦର୍ଶ ରୂପରେ ଦେଖାଯାଇଛି। ସମଲିଙ୍ଗୀ ବିବାହ ଭାରତୀୟ ପରମ୍ପରା-ବିରୋଧୀ। ସମାଜିକ ମହତ୍ତ୍ବ ଦୃଷ୍ଟିରୁ କେନ୍ଦ୍ର କେବଳ ପୁରୁଷ ଓ ମହିଳାଙ୍କ ବିବାହକୁ ମାନ୍ୟତା ଦେବାକୁ ଇଚ୍ଛୁକ। ଏହାଛଡ଼ା ଅନ୍ୟ କୌଣସି ପ୍ରକାର ବିବାହକୁ ମାନ୍ୟତା ଦିଆଯିବା ଉଚିତ ନୁହେଁ। ସାମ୍ପ୍ରତିକ ସାମାଜିକ ସ୍ଥିତି ଅନୁସାରେ ବିଭିନ୍ନ ପ୍ରକାର ବିବାହ ଓ ସମ୍ବନ୍ଧ ପ୍ରଚଳିତ। ସେଥିମଧ୍ୟରୁ କେନ୍ଦ୍ର କେବଳ ବିଷମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ପ୍ରସ୍ତୁତ। ତେବେ ସମଲିଙ୍ଗୀ ବିବାହକୁ ମାନ୍ୟତା ନ ଦେଲେ ମଧ୍ୟ ଏହା ବେଆଇନ ବୋଲି ସରକାର କହୁନାହାନ୍ତି। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ଦାଖଲ କରାଯାଇଥିବା ପିଟିସନ ଉପରେ ସୁପ୍ରିମ୍କୋର୍ଟ ସୋମବାର ଶୁଣାଣି କରିବେ। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ନ୍ୟାୟାଧୀଶ ପିଏସ୍ ନରସିଂହ ଓ ଜେବି ପାରଦିୱାଲାଙ୍କ ବେଞ୍ଚରେ ଏହା ଉପରେ ଶୁଣାଣି ହେବ।