ନୂଆଦିଲ୍ଲୀ : ବଳପୂର୍ବକ ଧର୍ମାନ୍ତରଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ଧାର୍ମିକ ସ୍ବାଧୀନତା ଅଧିକାରରେ ବ୍ୟକ୍ତିଙ୍କୁ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ପରିବର୍ତ୍ତନ କରିବାଭଳି କାର୍ଯ୍ୟ ମୌଳିକ ଅଧିକାର ଅନ୍ତର୍ଭୁକ୍ତ ନାହିଁ। ଲୋକଙ୍କୁ ଭୟ, ଧମକଚମକ, ଉପହାର ଓ ଟଙ୍କା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ ହେଉଛି। ଏହି ଧର୍ମାନ୍ତରଣ ତଥା ବଳପୂର୍ବକ ଧର୍ମ ପରିବର୍ତ୍ତନକୁ ବିରୋଧ କରି ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ।

Advertisment

ଆବେଦନ‌ରେ କୁହାଯାଇଥିଲା ଯେ ଯଦି ଏଭଳି ଧର୍ମାନ୍ତରଣକୁ ରୋକାନଯା‌ଏ ତେବେ ହିନ୍ଦୁମାନେ ଭାରତରେ ସଂଖ୍ୟାଲଘୁରେ ପରିଣତ ହେବେ। ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ କରି ଜବାବ ମାଗିଥିଲେ। କେନ୍ଦ୍ର ସରକାର ଆଜି ଏନେଇ ସତ୍ୟପାଠ ଦାଖଲ କରିଛନ୍ତି ଏବଂ କହିଛନ୍ତି, ଧର୍ମାନ୍ତରଣ ଧାର୍ମିକ ସ୍ବାଧୀନତା ଅଧିକାର ଅନ୍ତର୍ଭୁକ୍ତ ନୁହେଁ। ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୧୪ରେ ସୁପ୍ରିମକୋର୍ଟ ବଳପୂର୍ବକ ଧର୍ମାନ୍ତରଣକୁ ଅତି ସାଂଘାତିକ ପ୍ରସଙ୍ଗ ବୋଲି କହିଥିଲେ। ଏହା ଦେଶର ସୁରକ୍ଷାକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି କୋର୍ଟ କହିଥିଲେ ଏବଂ କେନ୍ଦ୍ର ସରକାର ବଳପୂର୍ବକ ଧର୍ମାନ୍ତରଣକୁ ରୋକିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ତାହା ସ୍ପଷ୍ଟ କରିବାକୁ କହିଥିଲେ।