ନୂଆଦିଲ୍ଲୀ: ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। ସତ୍ୟପାଠରେ କେନ୍ଦ୍ର ସରକାର କହିଛନ୍ତି ଯେ ଭାରତରେ ବେଆଇନ ପ୍ରବେଶ କରିଥିବା ବିଦେଶୀଙ୍କୁ ଶରଣାର୍ଥୀ ଭାବରେ ଗ୍ରହଣ କରାଯାଇପାରିବ ନାହିଁ। ବିଶ୍ୱରେ ସର୍ବାଧିକ ଜନସଂଖ୍ୟା ଏବଂ ସୀମିତ ସମ୍ବଳ ଥିବା ଏକ ବିକାଶଶୀଳ ଦେଶ ଭାବରେ ଭାରତ ନିଜ ନାଗରିକଙ୍କୁ ପ୍ରଥମେ ପ୍ରାଥମିକତା ଦେବ। ଆଇନଗତ ଢାଞ୍ଚା ବାହାରେ ଶରଣାର୍ଥୀଙ୍କ ସ୍ଥିତିକୁ ସ୍ୱୀକୃତି ଦିଆଯାଇ ପାରିବ ନାହିଁ ଏବଂ ନ୍ୟାୟିକ ଆଦେଶ ମାଧ୍ୟମରେ ମଧ୍ୟ ଶରଣାର୍ଥୀ ମାନ୍ୟତା ନିମନ୍ତେ କୌଣସି ଘୋଷଣା ହୋଇପାରିବ ନାହିଁ। ଅଧିକାଂଶ ରୋହିଙ୍ଗ୍ୟା ବେଆଇନ ଭାବେ ଭାରତରେ ପ୍ରବେଶ କରିଛନ୍ତି। ସମ୍ବିଧାନ ଅନୁଯାୟୀ ମୌଳିକ ଅଧିକାର କେବଳ ଦେଶର ନାଗରିକମାନଙ୍କୁ ଉପଲବ୍ଧ। ଏହି କାରଣରୁ ଆବେଦନକାରୀମାନେ ଏକ ନୂତନ ଅଧିକାର ସୃଷ୍ଟି କରିବାକୁ ଦାବି କରିପାରିବେ ନାହିଁ।

Advertisment

ଏଭଳି ନିଷ୍ପତ୍ତି ବ୍ୟବସ୍ଥାପିକାର ସ୍ବତନ୍ତ୍ର ଅଧିକାର ଅଧୀନରେ ରହିଛି ଏବଂ ନ୍ୟାୟିକ ଆଦେଶ ମାଧ୍ୟମରେ ଏହା ଅନୁମୋଦିତ ହୋଇପାରିବ ନାହିଁ। ‘ବେଆଇନ ପ୍ରବାସୀ ହୋଇଥିବାରୁ ରୋହିଙ୍ଗ୍ୟାମାନେ ମୌଳିକ ଅଧିକାର ଅଧୀନରେ ସୁରକ୍ଷା ଦାବି କରିପାରିବେ ନାହିଁ କାରଣ ଏହା କେବଳ ଦେଶର ନାଗରିକଙ୍କୁ ସୁରକ୍ଷା ଦେବାପାଇଁ ଉଦ୍ଦିଷ୍ଟ। ଜଣେ ବିଦେଶୀଙ୍କୁ କେବଳ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଏବଂ ସ୍ୱାଧୀନତାର ଅଧିକାର ଅଛି ଏବଂ ସେ ଭାରତରେ ରହିବା କିମ୍ବା ବସବାସ କରିବାର ମୌଳିକ ଅଧିକାର ଦାବି କରିପାରିବେ ନାହିଁ। ସୂଚନାଯୋଗ୍ୟ, ରୋହିଙ୍ଗ୍ୟାମାନେ ବେଆଇନ ପ୍ରବାସୀ ବୋଲି ସ୍ୱୀକାର ହେବା ପରେ ବିଦେଶୀ ଆଇନ, ୧୯୪୬ର ବ୍ୟବସ୍ଥା ସେମାନଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ। ଆବେଦନକାରୀଙ୍କ ଉଦ୍ଦେଶ୍ୟ ହେଉଛି ଆଇନର ପୁନଃଲିଖନ କିମ୍ବା ସଂସଦକୁ ନିର୍ଦ୍ଦିଷ୍ଟ ଉପାୟରେ ଏକ ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେବା । ତେବେ ଏହା ନ୍ୟାୟିକ ସମୀକ୍ଷାର କ୍ଷମତା ବାହାରେ ବୋଲି ସତ୍ୟପାଠରେ କୁହାଯାଇଛି।