କେନ୍ଦ୍ରୀୟ ଏଜେନ୍ସି ତତ୍ପର: ବେନାମୀ ସମ୍ପତ୍ତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବେନାମୀ ସମ୍ପତ୍ତି ଉପରେ ଅଙ୍କୁଶ ଲଗାଇବା ପାଇଁ ଦେଶବ୍ୟାପୀ ଅଭିଯାନକୁ ଜୋରଦାର କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ବେନାମୀ ସମ୍ପତ୍ତି ଉପରେ କାର୍ଯ୍ୟାନୁଷ୍ଠାନ ନେବାରେ ଆସୁଥିବା ପ୍ରତିବନ୍ଧକ ସମ୍ପର୍କରେ ଅବଗତ କରାଇବା ପାଇଁ ମଧ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ କୁହାଯାଇଥିବା ଏକ ସୂତ୍ରରୁ ଜଣାଯାଇଛି।

ସୂତ୍ର ଅନୁସାରେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ସନ୍ଦିଗ୍ଧ କମ୍ପାନି ମାନଙ୍କର ୨୫୦୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି ସମ୍ପର୍କିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଗତବର୍ଷ ବେନାମୀ କାରବାର ସଂଶୋଧନ ବିଲ୍‌ ଗୃହୀତ ହେବାପରେ ଆୟକର ବିଭାଗ, ଆର୍ଥିକ ଗୁଇନ୍ଦା ବିଭାଗ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସିବିଆଇ ସମେତ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ସୂତ୍ର ଅନୁସାରେ ଗତ ସପ୍ତାହରେ ଦେଶର ଆୟକର ବିଭାଗର ଅଧିକାରୀ ଓ କେନ୍ଦ୍ରୀୟ ଏଜେନ୍ସିର କିଛି ପ୍ରତିନିଧିମାନଙ୍କର ବୈଠକ ହୋଇଥିଲା। କେନ୍ଦ୍ରୀୟ ଏଜେନ୍ସିର ଅଧିକାରୀମାନଙ୍କୁ କିଛି ଅତିରିକ୍ତ ଅଧିକାର ପ୍ରଦାନ କରାଯିବାକୁ ନେଇ ବୈଠକରେ ଚର୍ଚ୍ଚା ହୋଇଥିବା ଜଣାଯାଇଛି।

ରାଜ୍ୟମାନଙ୍କ ପକ୍ଷରୁ କେନ୍ଦ୍ରୀୟ ଏଜେନ୍ସି ଗୁଡ଼ିକୁ ପୂର୍ଣ୍ଣ ରୂପେ ସହଯୋଗ କରାନଯିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ହେଉଥିବା ବୈଠକରେ କୁହାଯାଇଥିଲା। ଏହି ପ୍ରସଙ୍ଗରେ ଖୁବ୍‌ଶୀଘ୍ର ରାଜ୍ୟମାନଙ୍କ ସହିତ ବିଚାରବିମର୍ଶ କରାଯାଇ ପଦକ୍ଷେପ ନିଆଯିବ ବୋଲି ଆୟକର ବିଭାଗ ଦ୍ୱାରା କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ଆଶ୍ୱସ୍ତ କରାଯାଇଥିଲା। ହେଲେ ବେନାମୀ ସମ୍ପତ୍ତି ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଏଜେନ୍ସିମାନଙ୍କ ଦ୍ୱାରା ଦ୍ୱିତୀୟ ପର୍ଯ୍ୟାୟରେ ସେପ୍‌ଟେମ୍ବର ମାସ ମଧ୍ୟଭାଗ ସୁଦ୍ଧା ପାଖାପାଖି ୪୦୦ଟି ସମ୍ପତ୍ତି ଜବତ କରାଯାଇଛି, ଯାହାର ମୂଲ୍ୟ ୧୪୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର