ନୂଆଦିଲ୍ଲୀ: ଚଳିତ ବର୍ଷ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି, ଯୁବକଯୁବତୀଙ୍କୁ କୁଶଳୀ କରିବା, ସାଧାରଣ ଜନତାଙ୍କ ଉପରୁ ଟିକସ ବୋଝ କମ୍ କରିବା, ମହିଳା ଓ ଚାଷୀମାନଙ୍କ ସ୍ଥିତିରେ ଉନ୍ନତି ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ବଜେଟ୍‌ରେ ହୋଇଥିବା ବ୍ୟବସ୍ଥା ଦ୍ବାରା କେଉଁ ବର୍ଗ ଲାଭରେ ଏବଂ କିଏ କ୍ଷତିରେ ରହିବ ତାହା ଏଠାରେ ଉପସ୍ଥାପନ କରାଯାଇଛି

Advertisment

ଲାଭରେ ରହିବେ

ଯୁବବର୍ଗ: ଯୁବବର୍ଗଙ୍କୁ ସଶକ୍ତ କରିବା ଲାଗି ଅନେକ ପଦକ୍ଷେପ ଘୋଷଣା କରାଯାଇଛି। ନିଯୁକ୍ତି ବଜାରରେ ପ୍ରବେଶ କରୁଥିବା ନୂଆ କର୍ମଚାରୀଙ୍କ ପାଇଁ ଏକ ମାସର ଦରମା ଦେବା, ୨୦ ଲକ୍ଷ ଯୁବକଯୁବତୀଙ୍କୁ କୁଶଳୀ କରିବା, ଯୁବବର୍ଗଙ୍କୁ ପାଇଁ ଶ୍ରେଷ୍ଠ ୫୦୦ କର୍ପୋରେଟ୍‌ ଲାଗି ଆପ୍ରେଣ୍ଟିସ୍ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି।
ବିହାର ଓ ଆନ୍ଧ୍ରପ୍ରଦେଶ: ମୋଦୀ ସରକାରଙ୍କ ତୃତୀୟ ପାଳିର ଦୁଇ ପ୍ରମୁଖ ମେଣ୍ଟ ସହଯୋଗୀ ରାଜ୍ୟ ବିହାର ଓ ଆନ୍ଧ୍ରପ୍ରଦେଶ ଲାଗି ସରକାର ପକେଟ୍ ଖୋଲିଦେଇଛନ୍ତି। ଆନ୍ଧ୍ରପ୍ରଦେଶ ଓ ବିହାରର ବିଭିନ୍ନ ପ୍ରକଳ୍ପ ଲାଗି ୧୫,୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ବିହାର ପାଇଁ ସଡ଼କ, ବିମାନବନ୍ଦର, ମେଡିକାଲ୍ କଲେଜ ଘୋଷଣା ହୋଇଛି।
ଭିତ୍ତିଭୂମି: କେନ୍ଦ୍ର ସରକାର ୨୦୨୪-୨୫ ଆର୍ଥିକ ବର୍ଷରେ ୧୧.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବେ ଯାହା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩.୪ ପ୍ରତିଶତ। ଏହା ଦ୍ବାରା ଭିତ୍ତିଭୂମି କ୍ଷେତ୍ର ସଶକ୍ତ ହେବ।
ଷ୍ଟାର୍ଟଅପ୍: ଆଞ୍ଜେଲ୍‌ ଟିକସ ଉଚ୍ଛେଦ କରିବାକୁ ଘୋଷଣା କରାଯାଇଥିବାରୁ ଷ୍ଟାର୍ଟଅପ୍‌ ଜଗତ ଉପକୃତ ହେବ। ଷ୍ଟାର୍ଟଅପ୍‌ଗୁଡ଼ିକ ନିଜ ମୂଲ୍ୟାୟନ ଅନୁସାରେ ଯୋଗାଡ଼ କରୁଥିବା ଏଞ୍ଜେଲ୍ ପାଣ୍ଠି ଉପରେ ଏହି ଟିକସ ଲାଗୁ କରାଯାଉଥିଲା।
ମଧ୍ୟବିତ୍ତ ପରିବାର: କେନ୍ଦ୍ର ସରକାର ଆୟକର ହିସାବ ବେଳେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍‌କୁ ୫୦ ହଜାର ଟଙ୍କାରୁ ବଢ଼ାଇ ୭୫ ହଜାର ଟଙ୍କା କରିଥିବାରୁ ମଧ୍ୟବିତ୍ତ ପରିବାରଗୁଡ଼ିକ ଉପକୃତ ହେବେ। ବିଶେଷ କରି ବେ‌ତନଭୋଗୀମାନଙ୍କୁ ଏହାର ଲାଭ ମିଳିବ। ସେହିପରି, ନୂଆ ଟିକସ ସ୍ଲାବ୍‌ରେ ହୋଇଥିବା ପରିବର୍ତ୍ତନର ଲାଭ ମଧ୍ୟ ସେମାନଙ୍କୁ ମିଳିବ।
ଗହଣା: ସୁନା ଓ ରୁପା ଆଦି ମୂଲ୍ୟବାନ ଧାତବ ପଦାର୍ଥ ଉପରେ ସୀମା ଶୁଳ୍କକୁ କମ୍ କରିବା ଲାଗି ପ୍ରସ୍ତାବ ଦିଆଯାଇଥିବାରୁ ଗହଣା ଶିଳ୍ପ ଉପକୃତ ହେବ। ସୁନା ଉପରୁ ସୀମା ଶୁଳ୍କ ୬ ପ୍ରତିଶତକୁ ହ୍ରାସ ପାଇବ।
ସ୍ଥାନୀୟ ବିନିର୍ମାଣ: ବଜେଟ୍‌ ସ୍ଥାନୀୟ ବିନିର୍ମାଣ ଉପରେ ଜୋର ଦିଆଯାଇଛି। ବିଶେଷ କରି ଶ୍ରମଶକ୍ତି ସମ୍ବେଦନଶୀଳ ମାନୁଫାକ୍‌ଚରିଂ ୟୁନିଟ୍‌ଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ। ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍ଇ) ଲାଗି ମଧ୍ୟ ଋଣ ଗ୍ୟାରେଣ୍ଟି ସ୍କିମ୍ ଘୋଷଣା କରାଯାଇଛି।

publive-image

କ୍ଷତି ସହିବେ
ଷ୍ଟକ୍ ବଜାର: କେନ୍ଦ୍ର ସରକାର ବଜେଟ୍‌ରେ ଦୀର୍ଘକାଳୀନ ପୁଞ୍ଜି ଲାଭ (ଏଲ୍‌ଟିସିଜି)କୁ ୧୦ ପ୍ରତିଶତରୁ ବଢ଼ାଇ ୧୨.୫ ପ୍ରତିଶତ କରିଛନ୍ତି। ସେହିପରି ସ୍ବଳ୍ପକାଳୀନ ପୁଞ୍ଜି ଲାଭ (ଏସ୍‌ଟିସିଜି)କୁ ୧୫ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରାଯାଇଛି। ଫ୍ୟୁଚର୍ସ ଆଣ୍ଡ ଅପ୍ସନ (ଏଫ୍ଆଣ୍ଡଓ)ରେ ପ୍ରତିଭୂତି କାରବାର ଟିକସ (ଏସ୍‌ଟିଟି)କୁ ୦.୦୧ ପ୍ରତିଶତରୁ ବଢ଼ାଇ ୦.୦୨ ପ୍ରତିଶତ କରାଯାଇଛି। ଏହି ସବୁ ଘୋଷଣା ପ୍ରଭାବରେ ଷ୍ଟକ୍ ବଜାର ନିବେଶକ, ବ୍ରୋକର୍‌ ଓ ଅନ୍ୟାନ୍ୟ ଅଂଶୀଦାରମାନେ ପ୍ରଭାବିତ ‌ହେବେ।

ଇଲେକ୍ଟ୍ରିକ୍ ଯାନ (ଇଭି): ଇଲେକ୍ଟ୍ରିକ୍ ଯାନକୁ‌ ପ୍ରୋତ୍ସାହନ ପ୍ରଦାନ କରିବା ଲାଗି ବଜେଟ୍‌ରେ କୌଣସି ଘୋଷଣା କରାଯାଇନାହିଁ। ଫେମ୍‌ ସ୍କିମ୍ ଅଧୀନରେ ସବ୍‌ସିଡି ସହାୟତା ଦିଆଯିବ ବୋଲି ଦାବି ହେଉଥିଲା। କିନ୍ତୁ ସେସମ୍ପର୍କରେ ବଜେଟ୍‌ ଅଭିଭାଷଣରେ ଅର୍ଥମନ୍ତ୍ରୀ କିଛି ବି କହିନାହାନ୍ତି।