କୋଲକାତା: ୱକଫ୍ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଆଜି ଭୟାନକ ରୂପ ନେବାପରେ କେନ୍ଦ୍ରୀୟ ବାହିନୀ ଦ୍ବାରା ପରିସ୍ଥିତି ନିୟନ୍ତ୍ରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ପଛରେ ଯୋଜନାବଦ୍ଧ ଷଡ୍ଯନ୍ତ୍ର ରହିଥିବା ବେଳେ ଦଙ୍ଗାକାରୀମାନେ ସମଗ୍ର ସହରକୁ ନିଜ କବ୍ଜାକୁ ନେବା ପାଇଁ ପ୍ରୟାସ କରୁଥିବାରୁ କେନ୍ଦ୍ର ସରକାର ପରିସ୍ଥିତି ଉପରେ ସତର୍କ ନଜର ରଖିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ସମସ୍ତ ସହାୟତା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହସଚିବ ଗୋବିନ୍ଦ ମୋହନ ପଶ୍ଚିମବଙ୍ଗ ଡିଜିପି ଓ ମୁଖ୍ୟ ସଚିବଙ୍କ ସହ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି। ଦଙ୍ଗାକାରୀଙ୍କୁ କୌଣସି ପରିସ୍ଥିତିରେ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ରାଜ୍ୟପାଳ ସି ଭି ଆନନ୍ଦ ବୋଷ କହିଛନ୍ତି।
ମୁର୍ଶିଦାବାଦରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ କାଲକାଟା ହାଇକୋର୍ଟ ନିର୍ଦ୍ଦେଶ ଦେବାପରେ ଏହି ନିର୍ଦ୍ଦେଶକୁ କେନ୍ଦ୍ର ସରକାର ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସୂଚନାଯୋଗ୍ୟ, ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀ ବାଂଲାଦେଶ ସୀମା ସଂଲଗ୍ନ ଏହି ମୁସଲମାନ ବହୁଳ ଜିଲ୍ଲାରେ କେନ୍ଦ୍ରୀୟ ବାହିନୀ ମୁତୟନ କରିବାପାଇଁ ହାଇକୋର୍ଟରେ ଏକ ଜନସ୍ବାର୍ଥ ଆବେଦନ କରିବାପରେ କାଲକାଟା ହାଇକୋର୍ଟଙ୍କର ଏକ ସ୍ବତନ୍ତ୍ର ଖଣ୍ଡପୀଠ କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକାରୀ ମଧ୍ୟ ଏହି ଘଟଣାରେ ଏନ୍ଆଇଏ ତଦନ୍ତ ଦାବି କରିଛନ୍ତି ଏବଂ ଏନେଇ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିବା କହିଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ଅଧିକାରୀ କହିଛନ୍ତି, ଏହା ଆନ୍ଦୋଳନ ନୁହେଁ ବରଂ ଏହା ଗଣତନ୍ତ୍ର ଏବଂ ଶାସନ ବ୍ୟବସ୍ଥା ଉପରେ ଏକ ବର୍ବର ଆକ୍ରମଣ। ଏପ୍ରିଲ ୮ ତାରିଖରୁ ମୁର୍ଶିଦାବାଦରୋ ଅଶାନ୍ତ ସ୍ଥିତି ଲାଗି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/13/SJIngtWCI1uIi5gF0osh.jpg)