ଏଣିକି ରାଜ୍ୟମାନଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଦେବେନାହିଁ କେନ୍ଦ୍ର ସରକାର, କମ୍ପାନୀଠାରୁ ନିଜେ କିଣିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: ଏଣିକି ରାଜ୍ୟମାନଙ୍କୁ ରେମେଡେସିଭିର ଇଞ୍ଜେକ୍ସନ ଯୋଗାଇ ଦେବେନାହିଁ କେନ୍ଦ୍ର ସରକାର | ରେମେଡେସିଭିର ଇଞ୍ଜେକ୍ସନ ପାଇଁ ରାଜ୍ୟ ସରକାରମାନଙ୍କୁ ସିଧାସଳଖ କମ୍ପାନୀ ସହ ଯୋଗାଯୋଗ କରିବାକୁ ପଡିବ | ଦେଶରେ କରୋନାର ଦ୍ୱିତୀୟ ଲହରୀ ସମୟରେ ରେମଡେସିଭିର ଇଞ୍ଜେକ୍ସନର ଜରୁରୀ ଆବଶ୍ୟକତା ପଡିଥିଲା । ଅନେକ ରାଜ୍ୟରେ ଏହା କଳା ବଜାରରେ ବିକ୍ରି ହୋଇଥିଲା | ଏହା ବ୍ୟତୀତ ଅନେକ ସହରରେ ପୁଲିସ ନକଲି ରେମେଡେସିଭିର ଇଞ୍ଜେକ୍ସନ ମଧ୍ୟ ଜବତ କରିଥିଲା ।

କମ୍ ଉତ୍ପାଦନ ହେତୁ ଏହି ଇଞ୍ଜେକ୍ସନ୍ କେନ୍ଦ୍ର ସରକାର ଦେଉଥିଲେ। କିନ୍ତୁ ସରକାର ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ରାଜ୍ୟ ସରକାର ନିଜ ଆବଶ୍ୟକତା ଅନୁଯାୟୀ ଏହି ଇଞ୍ଜେକ୍ସନ କିଣି ପାରିବେ। ରାସାୟନିକ ଏବଂ ସାର ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶନିବାର ଘୋଷଣା କରିଛନ୍ତି ଯେ ରେମେଡେସିଭିର ଇଞ୍ଜେକ୍ସନ ରାଜ୍ୟକୁ ଆବଣ୍ଟନ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥି ସହିତ ସେ କହିଛନ୍ତି ଯେ ଦେଶରେ ରେମେଡେସିଭିର ଇଞ୍ଜେକ୍ସନ ଉପଲବ୍ଧତା ଉପରେ ନିରନ୍ତର ନଜର ରଖିବା ପାଇଁ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଏବଂ ସିଡିଏସକୋକୁ ନିର୍ଦ୍ଦେଶ ଦିଆଯାଇଛି।


ସରକାରଙ୍କ ଅନୁଯାୟୀ ବର୍ତ୍ତମାନ ଦେଶରେ ରେମେଡେସିଭିର ଇଞ୍ଜେକ୍ସନ ପ୍ଲାଣ୍ଟର ଉତ୍ପାଦନ ୨୦ ରୁ ୬୦କୁ ବୃଦ୍ଧି ପାଇଛି। । ଏଥିସହ ସରକାର କହିଛନ୍ତି ଯେ ବର୍ତ୍ତମାନ ଚାହିଦା ଅପେକ୍ଷା ଅଧିକ ଯୋଗାଣ ହେଉଛି। ସୋସିଆଲ ମିଡିଆରେ ଘୋଷଣା କରି ମାଣ୍ଡଭିଆ ଲେଖିଛନ୍ତି, ‘ରେମଡେସିଭିର ଉତ୍ପାଦନ ଦଶଗୁଣ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦକ୍ଷ ନେତୃତ୍ୱରେ ୧୧ ଏପ୍ରିଲ ୨୦୨୧ ରେ ପ୍ରତିଦିନ ୩୩,୦୦୦ ଇଞ୍ଜେକ୍ସନ ଭାଇଲ ତିଆରି କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହା ପ୍ରତିଦିନ ସାଢେ ୩ ଲକ୍ଷକୁ ବୃଦ୍ଧି ପାଇଛି’।

ସମ୍ବନ୍ଧିତ ଖବର