କର୍ମଚାରୀ ଏବଂ ପେନସନଭୋଗୀଙ୍କର ୪% ମହଙ୍ଗା ଭତ୍ତା ବୃଦ୍ଧି କରିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିଜର କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ଆଜି ୪% ବୃଦ୍ଧି କରିଛନ୍ତି। ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧିକୁ ଆଧାର କରି କେନ୍ଦ୍ର ସରକାର ୪% ମହଙ୍ଗା ଭତ୍ତା ବୃଦ୍ଧି କରିଥିବା ଜଣାଯାଇଛି। ଏନେଇ କେନ୍ଦ୍ର କ୍ୟାବିନେଟ୍ ଶୁକ୍ରବାର ଦିନ ଅନୁମୋଦନ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ମାସିକ ଦରମା ୭୨୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇବ। ଚଳିତ ମାସ ଏହି ନୂତନ ଭତ୍ତା ସହିତ ବର୍ଦ୍ଧିତ ଦରମା ମିଳିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବର ୨୦୧୯ ରେ ଶେଷ ଥର ଲାଗି କେନ୍ଦ୍ର ସରକାର କର୍ମଚାରୀଙ୍କ ମୂଳ ଦରମାରୁ ମହଙ୍ଗା ଭତ୍ତା ୧୨% ୧୭%କୁ ବୃଦ୍ଧି କରିଥିଲେ। ଏହା ପିଛିଲା ଭାବେ ୨୦୧୯ ଜୁଲାଇ ୧ରୁ ଲାଗୁ ହୋଇଥିଲା।

ଏଣେ ରାଜ୍ୟ ସରକାର ପେନସନଭୋଗୀଙ୍କ ପାଇଁ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଛନ୍ତି। ୨୦୧୯ ଜୁଲାଇ ପହିଲାରୁ ଏହାକୁ ଲାଗୁ କରାଯାଇଛି। ଫଳରେ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ୧୨ ପ୍ରତିଶତରୁ ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୬ ପୂର୍ବରୁ ଏବଂ ୨୦୧୬ ପରେ ଅବସର ନେଇଥିବା ରାଜ୍ୟ ସରକାରଙ୍କ କର୍ମଚାରୀମାନଙ୍କ ପେନସନକୁ ୨୦୧୬ ଜାନୁଆରି ପହିଲାରୁ ସଂଶୋଧନ କରାଯାଇଥିଲା। ଏ ନେଇ ଅର୍ଥ ବିଭାଗ ପକ୍ଷରୁ ୨୦୧୭ ସେପ୍ଟେମ୍ବର ୨୩ରେ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଏହି ପେନସନଭୋଗୀଙ୍କୁ ୨୦୧୯ ଜାନୁଆରି ପହିଲାରୁ ୧୨ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଇ ଆସୁଥିଲା।

ସମ୍ବନ୍ଧିତ ଖବର