ଦୁଷ୍କର୍ମ ମାମଲାର ତ୍ୱରିତ ବିଚାର ପାଇଁ ଅଣ୍ଟା ଭିଡ଼ିଲେ ସରକାର : ଦେଶସାରା ପ୍ରତିଷ୍ଠା ହେବ ଆଉ ୧୦୨୩ ଫାଷ୍ଟ୍‌ଟ୍ରାକ୍‌ ସ୍ୱତନ୍ତ୍ର କୋର୍ଟ

ପୋକ୍ସୋ ଆଇନ ମାମଲାର ହୋଇପାରିବ ଦ୍ରୁତ ଶୁଣାଣି, ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ : ଦୁଷ୍କର୍ମ ମାମଲା ଏବଂ ପକ୍ସୋ ଆଇନ ଅନ୍ତର୍ଗତ ମାମଲାର ତ୍ୱରିତ ବିଚାର ଲାଗି କେନ୍ଦ୍ର ସରକାର ଦେଶସାରା ୧୦୨୩ଟି ଫାଷ୍ଟ୍‌ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିବେ ବୋଲି ଘୋଷଣା କରିଛନ୍ତି। ୧୨ ବର୍ଷରୁ କମ୍‌ ବୟସ୍କ ନାବାଳିକାଙ୍କ ସହିତ ଦୁଷ୍କର୍ମ, ଗଣଦୁଷ୍କର୍ମ ତଥା ମହିଳାଙ୍କ ସହ ଏଭଳି ଜଘନ୍ୟ ଅପରାଧ ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିବା ବେଳେ ଏହାର ମୁକାବିିଲା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ର ଆଇନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାତୀୟ ମହିଳା ସୁରକ୍ଷା ମିସନର ଅ˚ଶ ବିଶେଷ ସ୍ବରୂପ କେନ୍ଦ୍ର ସରକାର ସାରା ଦେଶରେ ୧୦୨୩ଟି ଫାଷ୍ଟ୍‌ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା ଲାଗି ଯୋଜନା ଆରମ୍ଭ କରିଛନ୍ତି। ଏହା ଅଧୀନରେ ବିଭିନ୍ନ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଭାବେ ଦୁଷ୍କର୍ମ ଓ ପୋକ୍ସୋ ଆଇନ ଅନ୍ତର୍ଗତ ମାମଲାଗୁଡ଼ିକର ଶୀଘ୍ର ଶୁଣାଣି କରାଯିବ। ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁସାରେ ଦେଶରେ ପ୍ରତିଷ୍ଠା ହେବାକୁ ଥିବା ୧୦୨୩ ଫାଷ୍ଟ୍‌ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତ ମଧ୍ୟରୁ କେବଳ ପୋକ୍ସୋ ଆଇନ ଅନ୍ତର୍ଗତ ମାମଲାଗୁଡ଼ିକର ଶୁଣାଣି ଲାଗି ୩୮୯ ଅଦାଲତ ପ୍ରତିଷ୍ଠା କରାଯିବ। ଏସବୁ ସେହି ଜିଲ୍ଲାଗୁଡ଼ିକରେ ପ୍ରତିଷ୍ଠା କରାଯିବାର ପ୍ରସ୍ତାବ ରହିଛି, ଯେଉଁଠି ଏପରି ୧୦୦ରୁ ଅଧିକ ମାମଲା ପଡ଼ି ରହିଛି। ଏହି ଯୋଜନା ସମ୍ପର୍କରେ ସମସ୍ତ ରାଜ୍ୟ ସରକାରଙ୍କୁ ସେପ୍ଟେମ୍ବର ୨୦୧୯ରେ ସୂଚିତ କରି ଦିଆଯାଇଛି।

ସବୁ ରାଜ୍ୟ ଏପରି ଅଦାଲତ ଗଠନ କରିବା ଏବ˚ ଯୋଜନାକୁ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ସହ ଏପରି ଅପରାଧର ନିରାକରଣ ଲାଗି ପଦକ୍ଷେପ ନେବା ପାଇଁ କେନ୍ଦ୍ର ଆଇନ ଏବ˚ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ୩୫୪ଟି ସ୍ବତନ୍ତ୍ର ପୋକ୍ସୋ ଅଦାଲତ ସମେତ ୭୯୨ଟି ଫାଷ୍ଟ୍‌ଟ୍ରାକ୍‌ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ଲାଗି ଏହି ଯୋଜନାରେ ବର୍ତମାନ ସୁଦ୍ଧା ୩୧ଟି ରାଜ୍ୟ ମଧ୍ୟରୁ ୨୪ଟି ସାମିଲ ହୋଇ ସାରିଲେଣି। ଏସବୁ ରାଜ୍ୟ ହେଲେ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ତ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ଦିଲ୍ଲୀ, ନାଗାଲାଣ୍ତ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ତାମିଲନାଡ଼ୁ, ତେଲଙ୍ଗାନା, ତ୍ରିପୁରା, ଚଣ୍ତିଗଡ଼, ଉତ୍ତରାଖଣ୍ତ ଓ ଉତ୍ତରପ୍ରଦେଶ ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାରଙ୍କ ନ୍ୟାୟ ବିଭାଗ ଏପରି ଅଦାଲତ ଗଠନ କରିବାଲାଗି ଉଚ୍ଚ ନ୍ୟାୟାଳୟ ଏବ˚ ରାଜ୍ୟ ସରକାରଙ୍କୁ ଲଗାତର ସହାୟତା ପ୍ରଦାନ କରି ଆସୁଛନ୍ତି। ଫଳରେ ମହିଳା ଓ ନାବାଳିକାଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାର ଶୀଘ୍ର ଶୁଣାଣି ହୋଇପାରିବ ଏବ˚ ସେମାନଙ୍କୁ ଦେଶରେ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରାଯାଇପାରିବ। ଏହି ଯୋଜନା ଅନ୍ତର୍ଗତ ବର୍ତମାନ ୧୨ଟି ରାଜ୍ୟରେ ୨୧୬ଟି ପୋକ୍ସୋ ଅଦାଲତ କାମ କରୁଛି।

ସମ୍ବନ୍ଧିତ ଖବର