କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ସଂଖ୍ୟା କମିବ

ଅନେକ ସ୍କିମ୍ ବନ୍ଦ ହୋଇପାରେ, ଅର୍ଥ ଆୟୋଗ ସୁପାରିସ କରିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ସ୍କିମ୍ ସଂଖ୍ୟା କମ୍ କରିବା ଓ ଅନ୍ୟ କିଛି ସ୍କିମ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ସୁପାରିସ କରିବେ ବୋଲି କୁହାଯାଉଛି। କୃଷି, ସ୍ବାସ୍ଥ୍ୟ ସେବା, ଜଳ ଯୋଗାଣ, ଜଳସେଚନ, ମତ୍ସ୍ୟଚାଷ ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ଲାଗୁ କରାଯାଇଥିବା କେତେକ କେନ୍ଦ୍ରୀୟ ସ୍କିମ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆୟୋଗ ସୁପାରିସ କରିବ। ଯଦି ଆୟୋଗଙ୍କ ସୁପାରିସ ସରକାରଙ୍କ ଦ୍ବାରା ଗ୍ରହଣୀୟ ହେବ ତେବେ ଏହି ସବୁ ସ୍କିମ୍‌ରୁ ଲାଭବାନ ହେଉଥିବା ରାଜ୍ୟଗୁଡ଼ିକ ପ୍ରଭାବିତ ହେବେ। କୃଷି, ସ୍ବାସ୍ଥ୍ୟ ଓ ଜଳ ଯୋଗାଣ ସ୍କିମ୍‌ ଉପରେ ଅନେକ ରାଜ୍ୟ ନିର୍ଭରଶୀଳ। ସେମାନେ ଏହା ଦ୍ବାରା ପ୍ରଭାବିତ ହେବେ। କାରଣ କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ଗୁଡ଼ିକୁ ଲାଗୁ କରିବା ଲାଗି କେନ୍ଦ୍ର ସରକାର ଆବଶ୍ୟକ ହେଉଥିବା ପାଣ୍ଠିର ସିଂହ ଭାଗ ରାଜ୍ୟଗୁଡ଼ିକୁ ପ୍ରଦାନ କରିଥାନ୍ତି। ବଳକା ପାଣ୍ଠି ରାଜ୍ୟଗୁଡ଼ିକ ନିଜେ ଯୋଗାଡ଼ କରିଥାନ୍ତି। ସ୍କିମ୍‌ ବନ୍ଦ ହେଲେ କେନ୍ଦ୍ରରୁ ସେମାନେ ଟଙ୍କା ପାଇବେ ନାହିଁ।

କେନ୍ଦ୍ରୀୟ ପ୍ରାୟୋଜିତ ସ୍କିମ୍ ସଂଖ୍ୟା କମ୍ କରିବାର ଭଲ ଦିଗ ମଧ୍ୟ ରହିଛି। ଯେଉଁ ସବୁ ସ୍କିମ୍‌ ବିଶେଷ ଲାଭଦାୟକ ହେଉନାହିଁ ତାହାକୁ ବନ୍ଦ କରିଦେଲେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠି ଯୋଗାଡ଼ ଚିନ୍ତା ଦୂର ହେବ। ସରକାରଙ୍କ ପାଖରେ ଯେତିକି ପରିମାଣର ପାଣ୍ଠି ରହିଛି ତାହାକୁ ସଠିକ୍ ମାର୍ଗରେ ଏବଂ ନିହାତି ପାଣ୍ଠି ଦରକାର ହେଉଥିବା ସ୍କିମ୍‌ରେ ବ୍ୟବହାର କରାଯାଇପାରିବ। ବର୍ତ୍ତମାନ ଦେଶରେ ପାଖାପାଖି ୩୦ଟି କେନ୍ଦ୍ର ପ୍ରାୟୋଜିତ ସ୍କିମ୍ ପ୍ରଚଳନରେ ରହିଛି। ଏହା ଅଧୀନରେ ଛୋଟ ଓ ମଧ୍ୟମ ଧରଣର ଆହୁରି ଅନେକ ପ୍ରକାର ଉପ-ସ୍କିମ୍ ରହିଛି। ସେଗୁଡ଼ିକୁ ଯଦି ମିଶାଇ ଦିଆଯିବ ତେବେ କେନ୍ଦ୍ର ସରକାର ପାଖାପାଖି ୭୦୦ ସ୍କିମ୍ କାର୍ଯ୍ୟକାରୀ କରୁଛନ୍ତି ବୋଲି କୁହାଯାଇପାରିବ। କେନ୍ଦ୍ର ପ୍ରାୟୋଜିତ ସ୍କିମ୍‌ଗୁଡ଼ିକର ରୂପରେଖ କେନ୍ଦ୍ର ସରକାର ପ୍ରସ୍ତୁତ କରିଥାନ୍ତି। ତାହାକୁ କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ କରାଯାଏ। ଏହି ସ୍କିମ୍‌ଗୁଡ଼ିକ ସାଧାରଣତଃ କେନ୍ଦ୍ର ଓ ରାଜ୍ୟର ପାଣ୍ଠିକୁ ନେଇ ୫୦:୫୦, ୬୦:୪୦, ୭୦:୩୦ ଓ ୯୦:୧୦ ଅନୁପାତରେ କାର୍ଯ୍ୟକାରୀ କରାଯାଏ। କେନ୍ଦ୍ର ନିଜ ଭାଗର ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରନ୍ତି ଏବଂ ସ୍କିମ୍‌କୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥାନ୍ତି। କେନ୍ଦ୍ର ସରକାରଙ୍କ ଲାଗି କାମ କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ର ସରକାର ଲାଗୁ କରିଥିବା ‌କିଛି ସ୍କିମ୍‌ ରହିଛି ଯାହାର ବର୍ତ୍ତମାନ ସ୍ଥିତିରେ ବିଶେଷ ପ୍ରାସଙ୍ଗିକତା ନାହିଁ। ରାଜ୍ୟଗୁଡ଼ିକ ମଧ୍ୟ କିଛି ସ୍କିମ୍‌କୁ ବନ୍ଦ କରିବାକୁ ଅନୁରୋଧ କରୁଛନ୍ତି। କେଉଁ ସବୁ ସ୍କିମ୍ ବନ୍ଦ କରାଯିବ ତାହାର ଅନୁଧ୍ୟାନ କରିବା ଲାଗି ଅର୍ଥ ଆୟୋଗ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ନିତି ଆୟୋଗ ପକ୍ଷରୁ ସେହି ଅନୁଧ୍ୟାନ କରାଯାଉଛି।

ସମ୍ବନ୍ଧିତ ଖବର