ଫିଲ୍ମକୁ ବଏକଟ କରିବା ଭୁଲ, ଏଭଳି କରିବା ଉଚିତ୍ ନୁହେଁ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ରିଲିଜ୍ ହେଉ ହେଉ କମାଲ କରିଛି ଫିଲ୍ମ ‘ପଠାନ’। ଗତ ଦୁଇ ବର୍ଷ ହେଲା ବଏକଟ ଟ୍ରେଣ୍ଡର ଶିକାର ହୋଇ ଅନେକ ବଲିଉଡ ଫିଲ୍ମ ଫ୍ଲପ ହୋଇଥିବା ବେଳେ ପଠାନ ଏସବୁରୁ ବାହାରକୁ ବାହାରିପାରିଥିବା ଦେଖାଯାଉଛି। ୨ଦିନରେ ବିଶ୍ବବ୍ୟାପୀ ୨୩୫କୋଟି ଆୟ କରି ‘ପଠାନ’ ଅନେକ ରେକର୍ଡ ଭାଙ୍ଗିଥିବା ବେଳେ ଏହା ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି। ତେବେ ଏମଧ୍ୟରେ ଚାଲୁଥିବା ବଏକଟ ଟ୍ରେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର।

ଚଳଚ୍ଚିତ୍ରର ବଏକଟ୍ ଟ୍ରେଣ୍ଡକୁ ନେଇ ଅନୁରାଗ ଠାକୁର କହିଛନ୍ତି ଯେ ଆମର ଚଳଚ୍ଚିତ୍ର ଏବେ ବିଶ୍ବରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରୁଛି। ଏମଧ୍ୟରେ ବଏକଟ ଟ୍ରେଣ୍ଡ ଆସିବାରୁ ଭଲ ଫିଲ୍ମ ଉପରେ ଏହାର ପ୍ରଭାବ ପଡ଼ୁଛି। ପରିବେଶକୁ ନଷ୍ଟ କରିବାକୁ, ଅନେକ ଥର ଲୋକମାନେ ସଂପୂର୍ଣ୍ଣ ସୂଚନା ବିନା ମନ୍ତବ୍ୟ ଦିଅନ୍ତି। ଏହା ମଧ୍ୟ କ୍ଷତି ଘଟାଏ। ଏହା ହେବା ଉଚିତ୍ ନୁହେଁ।

ତେବେ ‘ପଠାନ’ ଦ୍ୱିତୀୟ ଦିନରେ ଘରୋଇ ବଜାରରେ ୭୦କୋଟି ରୋଜଗାର କରିଥିଲାବେଳେ ବିଦେଶରେ ମଧ୍ୟ ଫିଲ୍ମଟି ଭଲ ଆୟ କରୁଛି। ବାଣିଜ୍ୟ ବିଶ୍ଳେଷକ ରମେଶ ବାଲାଙ୍କ ଅନୁଯାୟୀ, ‘ପଠାନ’ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୩୫କୋଟି ରୋଜଗାର କରିଛି। ବିଶ୍ବ ବଜାରରେ ‘ପଠାନ’ ପ୍ରଥମ ଦିନରେ ୧୦୦କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ମଧ୍ୟ ୧୦୦କୋଟିରୁ ଅଧିକ ଆୟ କରିଛି। ଏହାକୁ ମିଶାଇ ଦୁଇ ଦିନରେ ‘ପଠାନ’ର ବିଶ୍ବବ୍ୟାପୀ ୨୩୫କୋଟି ଆୟ କରିଛି। ତେବେ ପୂର୍ବରୁ ଫିଲ୍ମର ଲୋକପ୍ରିୟତାକୁ ଦେଖି ଏହି ଚଳଚ୍ଚିତ୍ରର ୩୦୦ରୁ ଅଧିକ ସୋ’ ସମଗ୍ର ଭାରତରେ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର