କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରିପୋର୍ଟ : ଦେଶର ସବୁଠୁ ପ୍ରଦୂଷିତ ସ୍ଥଳ ଓଡ଼ିଶାରେ

ମୟୂରଭଞ୍ଜରେ ସର୍ବାଧିକ ୭ଟି ସ୍ଥାନ ପ୍ରଦୂଷିତ

ନୂଆଦିଲ୍ଲୀ : ଓଡ଼ିଶାରେ ରହିଛି ଦେଶର ସବୁଠୁ ଅଧିକ ପ୍ରଦୂଷିତ ସ୍ଥଳ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦେଶର ଯେଉଁ ୧୧୨ଟି ସ୍ଥାନ ଚିହ୍ନଟ କରାଯାଇଛି, ସେଥିମଧ୍ୟରୁ ସର୍ବାଧିକ ୨୩ଟି ସ୍ଥାନ ଓଡ଼ିଶାରେ ରହିଥିବା ଜଣାପଡ଼ିଛି।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ନିକଟରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ ସ୍ଥଳ ରହିଛି। ଏହିସବୁ ପ୍ରଦୂଷିତ ସ୍ଥଳଗୁଡ଼ିକ ବିଷାକ୍ତ ଓ ବିପଜ୍ଜନକ ବସ୍ତୁମାନଙ୍କ ଦ୍ବାରା ଦୂଷିତ ହୋଇସାରିଛି। ସେଥିମଧ୍ୟରୁ ସର୍ବାଧିକ ୨୩ଟି ପ୍ରଦୂଷିତ ସ୍ଥଳ ଓଡ଼ିଶା‌ରେ ରହିଛି। ଓଡିଶାର ୨୩ଟି ପ୍ରଦୂଷିତ ସ୍ଥଳ ତାଲିକାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭ଟି ରହିଥିବାବେଳେ ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ସମ୍ବଲପୁର ଓ ଗଂଜାମ ଜିଲ୍ଲାରେ ୩ଟି ଲେଖାଏଁ, ଝାରସୁଗୁଡ଼ା ଓ କଟକ ଜିଲ୍ଲାରେ ଗୋଟିଏ ଲେଖାଏଁ ପ୍ରଦୂଷିତ ସ୍ଥଳ ରହିଛି। ଗତବର୍ଷ ଜୁଲାଇ ୧ ତାରିଖରେ ଜାତୀୟ ଗ୍ରୀନ୍ ଟ୍ରୀବ୍ୟୁନାଲ (ଏନ୍‌ଜିଟି) ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ପ୍ରଦୂଷିତ ସ୍ଥଳମାନଙ୍କର ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ଓଡ଼ିଶାର ୨୩ଟି ପ୍ରଦୂଷିତ ସ୍ଥଳରୁ ୩ଟି ସ୍ଥଳରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ସିପିସିବିର ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଏହି ସଂଖ୍ୟା ସହିତ ଓଡ଼ିଶା ଶୀର୍ଷରେ ରହିଥିବାବେଳେ ଉତ୍ତରପ୍ରଦେଶ ଦ୍ବିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ଉତ୍ତରପ୍ରଦେଶରେ ୨୧ଟି ପ୍ରଦୂଷିତ ସ୍ଥଳ ‌ରହିଥିବାବେଳେ ଦିଲ୍ଲୀରେ ୧୧ଟି ସ୍ଥଳ ରହିଛି।

ସମ୍ବନ୍ଧିତ ଖବର