ଭାରତରେ ବନ୍ଦ ହେବ ପେଟ୍ରୋଲ ଚାଳିତ ଗାଡ଼ି !

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେବ ପେଟ୍ରୋଲ ଚାଳିତ ଗାଡ଼ି। ଦେଶରେ ଏବେ ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବା ବେଳେ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ। କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଦାବି କରିଛନ୍ତି ଯେ ଆସନ୍ତା ୫ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ଦେଶରେ ଏହାର କୌଣସି ଆବଶ୍ୟକତା ରହିବ ନାହିଁ। କେନ୍ଦ୍ରମନ୍ତ୍ରୀ କରୁଥିବା ଦାବି କେତେ ସତ ତାହା ଭବିଷ୍ୟତରେ ଜଣାପଡ଼ିବ। କିନ୍ତୁ ଯଦି ଦେଶରେ ପେଟ୍ରୋଲର ଏକ ଶସ୍ତା ବିକଳ୍ପ ଆସେ, ତେବେ ସାଧାରଣ ଲୋକମାନେ ଅଧିକ ଉପକୃତ ହେବେ।

ଗତ ଗୁରୁବାର ଦିନ ଅକୋଲାସ୍ଥିତ ଡକ୍ଟର ପଞ୍ଜାବ୍ରାଓ ଦେଶମୁଖ କୃଷି ବିଶ୍ୱବିଦ୍ୟାଳୟର ୩୬ତମ ସମାରୋହରେ ଯୋଗ ଦେଇ ଗଡକରୀ ଦାବି କରିଛନ୍ତି ଯେ, ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତର ରାସ୍ତାରୁ ପେଟ୍ରୋଲ କାର ଲୋପ ପାଇବ। ଦେଶରେ ପେଟ୍ରୋଲର କୌଣସି ଆବଶ୍ୟକତା ରହିବ ନାହିଁ। ସବୁଜ ଇନ୍ଧନ ଆଗାମୀ ସମୟରେ ପେଟ୍ରୋଲର ଆବଶ୍ୟକତାକୁ ଦୂର କରିବ। ସେ ଦାବି କରିଛନ୍ତି ଯେ କିଛି ବର୍ଷ ପରେ କେବଳ କାର ନୁହେଁ ଦେଶର ସ୍କୁଟର ମଧ୍ୟ ଗ୍ରୀନ୍ ହାଇଡ୍ରୋଜେନ, ଇଥାନଲ ଫ୍ଲେକ୍ସ ଇନ୍ଧନ, ସିଏନଜି କିମ୍ବା ଏଲଏନଜିରେ ଚାଲିବ।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ସମଗ୍ର ଦେଶରେ ଜୀବାଶ୍ମ ତୈଳ ଦର ବୃଦ୍ଧି ବାତାବରଣରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଉଦ୍‌ଜାନ ଇନ୍ଧନ ଚାଳିତ ‘ଟୋୟୋଟା ମିରାଇ’ କାର୍‌ ଚଢ଼ି ପାର୍ଲାମେଣ୍ଟ୍‌କୁ ଆସିଥିଲେ। ତୈଳ ଦର ବୃଦ୍ଧି ପାଉଥିବାରୁ ଉଦ୍‌ଜାନ ବା ‘ହାଇଡ୍ରୋଜେନ୍‌’, ହାଇଡ୍ରୋଜେନ୍‌ଭିତ୍ତିକ ‘ଫୁଏଲ୍‌ ସେଲ୍‌ ଇଲେକ୍ଟ୍ରିକ୍‌ ଭେଇକ୍ଲ୍‌’ ଟେକ୍ନୋଲୋଜି (ଏଫ୍‌ସିଇଭି) ଏବଂ ଭାରତରେ ଥିବା ‘ହାଇଡ୍ରୋଜେନ୍‌-ବେସ୍‌ଡ୍‌ ସୋସାଇଟି’ ପ୍ରତି ତା’ର ଉପକାର ସଂକ୍ରାନ୍ତରେ ସଚେତନତା ଉପରେ ଗଡ଼କରୀ ଗୁରୁତ୍ବାରୋପ କରିଥିଲେ।

ସଂସଦରେ ପହଞ୍ଚିବା ପରେ ନିତିନ ଗଡ଼କରୀ କହିଥିଲେ, ଖୁବ୍‌ ଶୀଘ୍ର ଭାରତ ‘ଗ୍ରିନ୍ ହାଇଡ୍ରୋଜେନ୍‌’ ରପ୍ତାନିକାରୀ ଦେଶ ହେବ। ଦେଶରେ ପ୍ରଦୂଷଣରହିତ ଏବଂ ଅତ୍ୟାଧୁନିକ ପଦ୍ଧତିରେ ଗମନାଗମନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ପ୍ରତି ଧ୍ୟାନ ଦେଇ ଆମ ସରକାର ‘ନ୍ୟାସ୍‌ନାଲ୍‌ ହାଇଡ୍ରୋଜେନ୍‌ ମିସନ୍’ ଜରିଆରେ ‘ଗ୍ରିନ୍‌ ଆଣ୍ଡ୍‌ କ୍ଲିନ୍‌ ଏନର୍ଜି’ ଉପରେ ଧ୍ୟାନ ନିବେଶ କରିବାକୁ ବଦ୍ଧପରିକର।
ସମ୍ବନ୍ଧିତ ଖବର