ନୂଆଦିଲ୍ଲୀ : ଦେଶର ୬ଟି ରାଜ୍ୟରେ ସଂକ୍ରମଣ ମାମଲା ଅଧିକ ରହିଥିବାରୁ ଏହି ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଏକ ଉଚ୍ଚ ସ୍ତରୀୟ ଟିମ୍ ପଠାଇଛନ୍ତି। କେରଳ, ଓଡ଼ିଶା, ଅରୁଣାଚଳପ୍ରଦେଶ, ତ୍ରିପୁରା, ଛତିଶଗଡ଼ ଏବଂ ମଣିପୁରରେ ସଂକ୍ରମଣ ଅଧିକ ରହୁଥିବାରୁ ଏହି ସବୁ ରାଜ୍ୟମାନଙ୍କରେ ସ୍ଥିତି ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଟିମ୍ ମୁତୟନ ହୋଇଛନ୍ତି। ଉକ୍ତ ଟିମ୍ ରାଜ୍ୟମାନେ ସାମ୍ନା କରୁଥିବା ବିଭିନ୍ନ ଚ୍ୟାଲେଂଜକୁ ଭଲଭାବେ ବୁଝିବେ ଏବଂ ଆବଶ୍ୟକ ସ୍ଥଳେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବେ। କରୋନା ନିୟନ୍ତ୍ରଣ କରିବା ଦିଗରେ ଟିମ୍ ରାଜ୍ୟମାନଙ୍କୁ ସହଯୋଗ କରିବେ। ସ୍ବାସ୍ଥ୍ୟ ବିଶେଷଜ୍ଞ ଆବଶ୍ୟକ ସ୍ଥଳେ ଜରୁରୀ କଟକଣା ଲଗାଇବେ।
ପଜିଟିଭ୍ ହାର ୧୦ ପ୍ରତିଶତରୁ ଅଧିକ ରହୁଥିବା ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ରଣନୀତି ଅବଲମ୍ବନ କରିଛନ୍ତି। ୨ ଜଣିଆ ସଦସ୍ୟ ବିଶିଷ୍ଟ ଏହି ଉଚ୍ଚ ସ୍ତରୀୟ ଟିମ୍ରେ ଜଣେ ସରକାରୀ ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ଜଣେ ଚିକିତ୍ସକ ରହିଛନ୍ତି। ଟିମ୍ ରାଜ୍ୟମାନଙ୍କୁ ତୁରନ୍ତ ଗସ୍ତ କରି ରାଜ୍ୟମାନଙ୍କ ଦ୍ବାରା ଚାଲିଥିବା କୋଭିଡ୍ ପରିଚାଳନାର ତଦାରଖ କରିବେ। ବିଶେଷ କରି ଟେଷ୍ଟିଂ, କଣ୍ଟେନମେଣ୍ଟ୍ ଅପରେସନ୍, କରୋନା ନିୟମାବଳିର ସଠିକ୍ ପାଳନ, ଉପଲବ୍ଧ ଥିବା ହସ୍ପିଟାଲ୍ ବେଡ୍, ଆମ୍ବୁଲାନ୍ସ, ଭେଣ୍ଟିଲେଟର,ମେଡିକାଲ୍ ଅକ୍ସିଜେନ୍, ଟିକାକରଣ ଆଦି ପ୍ରସଙ୍ଗରେ ଯାଞ୍ଚ କରିବେ। ଟିମ୍ ବାସ୍ତବ ସ୍ଥିତି ସମୀକ୍ଷା କରିବାପରେ ରାଜ୍ୟମାନଙ୍କୁ ପ୍ରତିକାର ପାଇଁ ପରାମର୍ଶ ଦେବେ। ଡାକ୍ତର ସଂଜୟ ସାଧୁଖାନ୍ ଆନ୍ଧ୍ରପ୍ରଦେଶ ଟିମ୍ର ନେତୃତ୍ବ ନେଇଥିବା ବେଳେ ଡାକ୍ତର ଆରଏନ୍ ସିହ୍ନା ତ୍ରିପୁରା, ଡାକ୍ତର ରୁଚି ଜୈନ କେରଳ, ଡାକ୍ତର ଦିବାକର ସାହୁ ଛତିଶଗଡ଼, ଡାକ୍ତର ଏ ଡାନ୍ ଓଡ଼ିଶା ଏବଂ ଡାକ୍ତର ଏଲ୍ ସ୍ବସ୍ତିଚରଣ ମଣିପୁର୍ ଟିମ୍ର ନେତୃତ୍ବ ନେଉଛନ୍ତି। ରାଜ୍ୟମାନଙ୍କୁ ଏହି ଟିମ୍ କରୋନା ମୁକାବିଲା ଦିଗରେ ସହଯୋଗ କରିବେ।
ଦେଶରେ ଏବେ ସର୍ବାଧିକ ଦୈନିକ ସଂକ୍ରମଣ ମାମଲା କେରଳରୁ ରିପୋର୍ଟ କରାଯାଉଛି। ଗତକାଲି କେରଳରେ ୧୨,୮୬୮ ନୂଆ ମାମଲା ଚିହ୍ନଟ ହୋଇଛି। ଏଥିସହ କେରଳରେ ମୋଟ୍ ସଂକ୍ରମଣ ମାମଲା ୨୯.୩୭ ଲକ୍ଷକୁ ବୃଦ୍ଧି ପାଇଛି। କେରଳରେ ପଜିଟିଭ୍ ହାର ୧୦.୩ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/corona.jpg)