ଲିଟର ପିଛା ପେଟ୍ରୋଲରୁ ୩୩ ଓ ଡିଜେଲରୁ ୩୨ ଟଙ୍କା ଆୟ କରୁଛନ୍ତି କେନ୍ଦ୍ର ସରକାର : ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର

ଇନ୍ଧନକୁ ଜିଏସ୍‌ଟି ଅଧୀନକୁ ଆଣିବାକୁ କୌଣସି ଯୋଜନା ନାହିଁ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି (ସୋମବାର) ଲୋକସଭାରେ ସୂଚନା ଦେଇଛନ୍ତି ଯେ ପ୍ରତ୍ୟେକ ଲିଟର ପିଛା ପେଟ୍ରୋଲ ବିକ୍ରୟରୁ ପ୍ରାୟ ୩୩ ଟଙ୍କା ଏବଂ ଡିଜେଲ ପିଛା ୩୨ ଟଙ୍କା କେନ୍ଦ୍ର ସରକାର ଆୟ କରୁଛନ୍ତି। ଅନ୍ୟ ପକ୍ଷରେ ଏହା ସ୍ପଷ୍ଟ କରିଛନ୍ତି ଯେ ନିକଟ ଭବିଷ୍ୟତରେ ପେଟ୍ରୋଲ ଓ ଡିଜେଲ୍ ଜିଏସଟି ଅଧିନକୁ ଆସିବାର ସମ୍ଭାବନା ନାହିଁ।

ସୋମବାର କ୍ରମାଗତ ଭାବେ ୧୬ତମ ଦିନ ପାଇଁ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ଲୋକସଭାରେ କହିଛନ୍ତି ଯେ ଏକ୍ସାଇଜ୍‌ ଡ୍ୟୁଟି, ସେସ୍‌ ଏବଂ ସରଚାର୍ଜ ମାଧ୍ୟମରେ ଇନ୍ଧନରୁ ଏହି ବିପୁଳ ପରିମାଣର ଆୟ ହେଉଛି । କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି ଯେ, ମଇ ୬, ୨୦୨୦ ଠାରୁ ଲିଟର ପିଛା ପେଟ୍ରୋଲରୁ ୩୩ ଟଙ୍କା ଏବଂ ଲିଟର ପିଛା ଡିଜେଲରୁ ୩୨ ଟଙ୍କା ରୋଜଗାର ହେଉଛି । ଏହି ଆୟ ଏକ୍ସାଇଜ୍‌ ଡ୍ୟୁଟି, ସେସ୍‌ ଏବଂ ସରଚାର୍ଜ ଆକାରରେ ହେଉଛି ବୋଲି ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି।

ଅନ୍ୟ ପକ୍ଷରେ ତୈଳ ଦରରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ଯୋଗାଇବାର ଏକମାତ୍ର ଉପାୟ ହେଉଛି ଇନ୍ଧନ ତୈଳକୁ ଜିଏସ୍‌ଟି ତାଲିକାଭୁକ୍ତ କରିବା। ହେଲେ, ଇନ୍ଧନ ତୈଳକୁ ଜିଏସ୍‌ଟି ତାଲିକାଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ। ଜିଏସ୍‌ଟି ବ୍ୟବସ୍ଥାରେ ଇନ୍ଧନ ତୈଳକୁ ଅନ୍ତର୍ଭୁକ୍ତ କରିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲୋକସଭାକୁ ଏହି ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର