ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର, ଗୃହ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର ଜାରି

ନୂଆଦିଲ୍ଲୀ : ଭାରତ ସରକାର ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ, ପର୍ଯ୍ୟଟକମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଇଛନ୍ତି । ଦେଶରେ ଲକଡାଉନ ଘୋଷଣା ହେବାର ୩୬ ଦିନ ପରେ ସରକାର ଏହି ଅନୁମତି ଦେଇଛନ୍ତି । ଲକଡାଉନ ବେଳେ ଶ୍ରମିକମାନେ ବିଭିନ୍ନ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇ ଘରକୁ ଫେରୁଥିବା ଜଣାପଡ଼ିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ଏକ ସର୍କୁଲାରରେ କୁହାଯାଇଛି ଯେ ରାଜ୍ୟ ସରକାରମାନେ ଏହି ଲୋକମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ନିଶ୍ଚିତ କରିବାକୁ ଜଣେ ଶୀର୍ଷ ଅଧିକାରୀ ବା ନୋଡାଲ ଅଫିସର ନିଯୁକ୍ତ କରିବା ଆବଶ୍ୟକ । ଏହି ଶୀର୍ଷ ଅଧିକାରୀ ହିଁ ଏହି କାର୍ଯ୍ୟର ତଦାରଖ କରିବେ । ପ୍ରଥମେ ଲୋକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ ଫେରିବାକୁ ଅନୁମତି ଦିଆଯିବ । ଯଦି ସେମାନେ କରୋନା ସଂକ୍ରମିତ ଥିବେ ସେମାନଙ୍କୁ ଫେରିବା ଅନୁମତି ଦିଆଯିବ ନାହିଁ ବୋଲି ଏହି ସର୍କୁଲାରରେ କୁହାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୭ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସିଂ ବେଳେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ରାଜ୍ୟମାନେ ପ୍ରବାସୀ ଶ୍ରମିକଙ୍କୁ ଫେରିବାକୁ ଅନୁମତି ଦେବା ପାଇଁ ଦାବି କରିଥିଲେ ।

ସମ୍ବନ୍ଧିତ ଖବର