କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ୩% ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ କଲା କେନ୍ଦ୍ର

ନୂଆଦିଲ୍ଲୀ: ଦିପାବଳୀ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ସରକାର । ଏନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ମୁତାବକ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀ ୩ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ପାଇବେ । ଏହି ପଦକ୍ଷେପ ଦ୍ୱାରା ପ୍ରାୟ ୪୭.୧୪ ଲକ୍ଷ କେନ୍ଦ୍ରୀୟ ସରକାରୀ କର୍ମଚାରୀ ଏବଂ ୬୮.୬୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଏନେଇ ବାର୍ଷିକ ୯,୪୮୮.୭୦ କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନା ମୁତାବକ ଆଜି କେନ୍ଦ୍ରୀୟ କର୍ମଚାରୀ ଓ ପେନସନ ଭୋଗୀଙ୍କୁ ଦେବାକୁ ଥିବା ମହଙ୍ଗା ଭତ୍ତା ବୃଦ୍ଧି କରିବା ନେଇ ଏକ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ମହଙ୍ଗା ଭତ୍ତାକୁ ୩ ପ୍ରତିଶତ ବୃଦ୍ଧି କରାଯାଇଥିବା କୁହାଯାଉଛି । ଏନେଇ ସରକାରୀ ସ୍ତରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେବେ ।

ଆଜି ଏହି ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୩୧ ପ୍ରତିଶତ ହୋଇଯିବ । ଚଳିତ ବର୍ଷ ଜୁଲାଇ ମାସରେ କେନ୍ଦ୍ର ମନ୍ତ୍ରିମଣ୍ଡଳ କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍ ଭୋଗୀଙ୍କ ମହଙ୍ଗା ଭତ୍ତା ଜୁଲାଇ ୧ ତାରିଖରୁ ୧୧ ପ୍ରତିଶତ ବୃଦ୍ଧି କରିବାର ନିଷ୍ପତ୍ତି ନେଇଥିଲେ  । ଏହାଦ୍ୱାରା ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବୃଦ୍ଧି ପାଇ ୨୮ ପ୍ରତିଶତ ହୋଇଥିଲା । ଆଜି ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଫଳରେ ମହଙ୍ଗା ଭତ୍ତା ୩୧ ପ୍ରତିଶତରେ ପହଞ୍ଚିଛି । ଅର୍ଥାତ କେନ୍ଦ୍ର କର୍ମଚାରୀମାନଙ୍କୁ ସେମାନଙ୍କ ମୂଳ ଦରମାର ୩୧ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ମିଳିବ।

ସମ୍ବନ୍ଧିତ ଖବର