କୋଲକାତା: ପଶ୍ଚିମବଙ୍ଗରେ ବିଜେପି ସଭାପତି ଜେପି ନଡ୍ଡାଙ୍କ ଗାଡ଼ି ଉପରକୁ ପଥର ଫିଙ୍ଗାଯିବା ପରେ ଗୃହ ମନ୍ତ୍ରାଳୟ ଏହି ଘଟଣାରେ ଅବହେଳା ଅଭିଯୋଗରେ ପଞ୍ଚିମବଙ୍ଗର ୩ଜଣ ଆଇପିଏସ୍ ଅଧିକାରୀଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଥିଲେ। ଆଇପିଏସ୍ କ୍ୟାଡର ନିୟମ ୬ (୧) ଅଧୀନରେ ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ୩ ଆଇପିଏସ ଅଧିକାରୀଙ୍କୁ ପଠାଇବାକୁ ମନା କରିଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହା ପରେ ଆଜି ପୁଣି ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ଲେଖିଛି । ଏହି ଚିଠିରେ କୁହାଯାଇଛି ଯେ, ଆଇପିଏସ୍ ଅଧିକାରୀଙ୍କୁ ତୁରନ୍ତ ଡେପୁଟେସନରେ ପଠାଯାଉ।
GoI’s order of central deputation for the 3 serving IPS officers of West Bengal despite the State’s objection is a colourable exercise of power and blatant misuse of emergency provision of IPS Cadre Rule 1954. (1/3)
— Mamata Banerjee (@MamataOfficial) December 17, 2020
ଏହି ମାମଲାରେ ଗୃହ ମନ୍ତ୍ରାଳୟ ପୁଣି ଥରେ ଚିଠି ଲେଖିବାରୁ ଏହାକୁ ବିରୋଧ କରି ଟୁଇଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଟୁଇଟ କରିଛନ୍ତି ଯେ, ରାଜ୍ୟର ଆପତ୍ତି ସତ୍ତ୍ବେ ପଶ୍ଚିମବଙ୍ଗରେ ୩ ଜଣ କାର୍ଯ୍ୟରତ ଆଇପିଏସ୍ ଅଧିକାରୀଙ୍କ ପାଇଁ ପୁଣି ଥରେ କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ଚିଠି ଲେଖିବା ଆଇପିଏସ୍ କ୍ୟାଡର ନିୟମ ୧୯୫୪ର ଜରୁରୀକାଳୀନ ବ୍ୟବସ୍ଥାର ଅପବ୍ୟବହାର ଅଟେ। ଏହି କାର୍ଯ୍ୟ ରାଜ୍ୟର ଅଧିକାର ଉପରେ ଆକ୍ରମଣ କରିବା ଏବଂ ସେବା କରୁଥିବା ଅଧିକାରୀମାନଙ୍କୁ ହତାଶ କରିବା ପାଇଁ ଏକ ସୁଚିନ୍ତିତ ପ୍ରୟାସ ଛଡା ଆଉ କିଛି ନୁହେଁ। ବିଶେଷକରି ନିର୍ବାଚନ ପୂର୍ବରୁ ଏହି ପଦକ୍ଷେପ ସଙ୍ଘୀୟ ବ୍ୟବସ୍ଥାର ମୌଳିକ ନିୟମର ବିରୁଦ୍ଧାଚରଣ ଅଟେ। ଏହା ଅସାମ୍ବିଧାନିକ ଏବଂ ଗ୍ରହଣୀୟ ନୁହେଁ।