ତୁରନ୍ତ କୃଷକ ଚିହ୍ନଟ ପାଇଁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ : କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ଗୁଡ଼ିକୁ ଚିଠି ଲେଖାଯାଇଛି। ସବୁ ରାଜ୍ୟର ମୁଖ୍ୟ ସଚିବ ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କକୁ କେନ୍ଦ୍ର କୃଷି ସଚିବ ଗତ ୧ ତାରିଖରେ ଚିଠି ଲେଖିଛନ୍ତି। ରାଜ୍ୟଗୁଡ଼ିକ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କ ତାଲିକା ପ୍ରସ୍ତୁତ କରି ଗ୍ରାମ ପଞ୍ଚାୟତ ନୋଟିସ ବୋର୍ଡରେ ଲଗାଇବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ଶନିବାର ଏହି ସୂଚନା ଦେଇଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା କୃଷକମାନଙ୍କୁ ପ୍ରଥମ କିସ୍ତିରେ ୨ ହଜାର ଟଙ୍କା ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା କୃଷକମାନଙ୍କୁ କେନ୍ଦ୍ର ସରକାର ବର୍ଷକୁ ୬ ହଜାର ଟଙ୍କା ଦେବା ଲାଗି ଘୋଷଣା କରିଛନ୍ତି। ଏହାକୁ ୩ଟି କିସ୍ତିରେ ଦିଆଯିବ। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚଳିତ ଆର୍ଥିକ ବର୍ଷରେ ସରକାର ୨୦ ହଜାର କୋଟି ଏବଂ ଆସନ୍ତା ଆର୍ଥିକ ବର୍ଷ ପାଇଁ ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

ସମ୍ବନ୍ଧିତ ଖବର