ତେଜରାତି ଓ ପରିବା ଦୋକାନୀଙ୍କ କରୋନା ପରୀକ୍ଷା କରିବାକୁ ରାଜ୍ୟମାନଙ୍କୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ : ପରିବା ଓ ଫଳ ଦୋକାନୀ ଓ ତେଜରାତି ଦୋକାନୀ ଓ ଅନ୍ୟ ଦୋକାନୀଙ୍କ କରୋନା ପରୀକ୍ଷା କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ ସାଧାରଣ ଲୋକ ଆସୁଥିବାରୁ ଏମାନେ ଯଦି ସଂକ୍ରମିତ ହେବେ ତେବେ ଅନେକ ଲୋକ ସଂକ୍ରମିତ ହୋଇଯିବେ । ଏଣୁ ଏମାନଙ୍କ କରୋନା ପରୀକ୍ଷା ଜରୁରୀ ବୋଲି ସରକାର ମନେ କରୁଛନ୍ତି । ଆଇସିଏମଏର ପକ୍ଷରୁ ଜାରି ଗାଇଡଲାଇନରେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ମାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ନିଜ ପତ୍ରରେ ସେ ମଧ୍ୟ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା, ସେଥିରେ ଅକ୍ସିଜେନ ସିଲିଣ୍ଡର ରଖିବା ଆଦି ନିଶ୍ଚିତ କରିବାକୁ କହିଛନ୍ତି । ସବୁ ଗୁରୁତର ରୋଗୀଙ୍କୁ ଯେପରି ଆମ୍ବୁଲାନ୍ସ ସେବା ମିଳିପାରିବ ତାହା ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱଆରୋପ କରିଛନ୍ତି ।
ସେ କହିଛନ୍ତି ଯେ ଦେଶରେ ନୂଆ ନୂଆ ଅଞ୍ଚଳରେ କରୋନା ମାମଲା ଦେଖାଯାଉଥିଲେ ମଧ୍ୟ ଅଧିକାଂଶ ମାମଲା ଅଳ୍ପ କିଛି ଜିଲ୍ଲାରେ କେନ୍ଦ୍ରୀଭୂତ ହୋଇ ରହିଛି । ଭାରତରେ କରୋନା ମୃତ୍ୟୁହାର ଅନ୍ୟ ଦେଶମାନଙ୍କ ତୁଳନାରେ ସର୍ବନିମ୍ନ ଥିଲେ ମଧ୍ୟ ସରକାର କରୋନା ଜନିତ ମୃତ୍ୟୁକୁ ଆହୁରି କମାଇବାକୁ ଗୁରୁତ୍ୱ ଦେଉଛନ୍ତି ।

ସମ୍ବନ୍ଧିତ ଖବର