କୋଭିଡ-୧୯ କ୍ଷତିପୂରଣ ପାଇଁ ହୋଇଥିବା ‘ନକଲି ଦାବି’ର ତଦନ୍ତ ପାଇଁ ସୁପ୍ରିମ୍‌ କୋର୍ଟଙ୍କୁ ଅନୁମତି ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏକ ଆବେଦନରେ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ କୋଭିଡ-୧୯ରେ ମୃତ୍ୟୁ ପାଇଁ ଅନୁକମ୍ପାମୂଳକ କ୍ଷତିପୂରଣ ଟଙ୍କା ପାଇବା ପାଇଁ ଅନେକ ନକଲି/ଜାଲ୍‌ ଦାବି ଦାଖଲ ସମ୍ପର୍କରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ରିପୋର୍ଟ ପାଇଛନ୍ତି। ତେଣୁ, କେନ୍ଦ୍ର ସରକାର ଅଦାଲତଙ୍କୁ ଏପରି ଘଟଣାର ତଦନ୍ତ କରିବାକୁ ଅନୁମତି ଦେବାକୁ ଅନୁରୋଧ କରିଛନ୍ତି।

କେନ୍ଦ୍ର ସରକାର ଅଦାଲତଙ୍କ ନିର୍ଦ୍ଦେଶ ମାଗି କହିଛନ୍ତି ଯେ କୌଣସି କେନ୍ଦ୍ରୀୟ ଏଜେନ୍‌ସି ଅନୁକମ୍ପା ମୂଳକ ଦେୟ ପ୍ରଦାନ ପାଇଁ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକ୍ରିୟାକୃତ ଦାବି ହୋଇଥିବା ଦସ୍ତାବିଜଗୁଡ଼ିକୁ ଯାଞ୍ଚ କରିବା ଏବଂ ଏହା ପରେ ପଦକ୍ଷେପ ନେବାକୁ ଅନୁମତି ଦିଅନ୍ତୁ। ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଜୁନ୍‌ ମାସରେ ସୁପ୍ରିମ୍‌ କୋର୍ଟ ଏକ ଆଦେଶନାମା ଜାରି କରି କହିଥିଲେ ଯେ କୋଭିଡ-୧୯ କାରଣରୁ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ୫୦,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବା ଆବଶ୍ୟକ।

ଚଳିତ ମାସ ପ୍ରାରମ୍ଭରେ, ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଦ୍ରୁତ ଦେୟ ପ୍ରଦାନ ପାଇଁ ଏହାର ନିର୍ଦ୍ଦେଶନାମାର ଅପବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ। ନକଲି ଦସ୍ତାବିଜ ପ୍ରସଙ୍ଗକୁ ସଲିସିଟର ଜେନେରାଲଙ୍କ ଦ୍ୱାରା ଅଦାଲତଙ୍କୁ ଜଣାଯିବା ପରେ ଅଦାଲତ କହିଥିଲେ, ଆମର ଆଦେଶକୁ କେହି ଅପବ୍ୟବହାର କରିବା ଉଚିତ୍‌ ନୁହେଁ। କାରଣ ଏହା ଜଣେ ପ୍ରକୃତ ବ୍ୟକ୍ତିଙ୍କ ଦାବିକୁ ବଞ୍ଚିତ କରିବା ସଦୃଶ।

ଆହୁରି ମଧ୍ୟ, କ୍ଷତିପୂରଣ ଦାବି ଦାଖଲ ପାଇଁ କୋଭିଡ-୧୯ରେ ମୃତ ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଚାରି ସପ୍ତାହର ସମୟ ସୀମା ଦେବାକୁ କେନ୍ଦ୍ର ସରକାର ସୁପ୍ରିମ କୋର୍ଟଙ୍କୁ କହିଛନ୍ତି। ଯେଉଁମାନଙ୍କ ପରିବାର ସଦସ୍ୟ କୋଭିଡ୍‌ର ଦ୍ୱିତୀୟ ଲହର ସମୟରେ ମୃତ୍ୟୁବରଣ କରିଥିଲେ, ସେମାନଙ୍କ ପାଇଁ ଜୁଲାଇ ୩୦ ସୁଦ୍ଧା ଦାଖଲ ହୋଇଥିବା ଆବେଦନକୁ କ୍ଷତିପୂରଣ ପାଇବା ବିବେଚନା କରାଯିବ। ଜୁନ୍‌ ପରେ ମୃତ୍ୟୁ ପାଇଁ, ମୃତ୍ୟୁର ଚାରି ସପ୍ତାହ ପରେ ସମୟ ସୀମା କ୍ଷତିପୂରଣ ଦାବି ଦାଖଲ ପାଇଁ କଟ୍‌ ଅଫ୍‌ ହେବା ଉଚିତ୍‌ ବୋଲି ସରକାର ନିଜର ଆବେଦନରେ କହିଛନ୍ତି।

ସମ୍ବନ୍ଧିତ ଖବର