ନୂଆଦିଲ୍ଲୀ: ପଞ୍ଜାବର ରାଜଧାନୀ ଚଣ୍ଡୀଗଡ଼କୁ ସିଧାସଳଖ କେନ୍ଦ୍ର ନିୟନ୍ତ୍ରଣକୁ ଅଣାଯିବା ପାଇଁ ଚାଲିଥିବା ପ୍ରୟାସକୁ ଅାଜି ଝଟ୍କା ଲାଗିଛି। ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍-୨୦୨୫ରେ ପ୍ରସ୍ତାବିତ ଧାରା ୨୪୦ ପ୍ରୟୋଗ କରାଯିବାକୁ କେନ୍ଦ୍ର ସରକାରଙ୍କ ଯୋଜନା ତୀବ୍ର ବିରୋଧ ଯୋଗୁ ଅଟକି ଯାଇଛି। ପଞ୍ଜାବର ସମସ୍ତ ରାଜନୈତିକ ଦଳ ଜୋର୍ଦାର ବିରୋଧ କରିବା ପରେ ଆଜି କେନ୍ଦ୍ର ପଛକୁ ହଟି ଘୋଷଣା କରିଛି ଯେ, ଏହି ପ୍ରସଙ୍ଗରେ ଏଯାବତ୍ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।
ଚଣ୍ଡୀଗଡ଼ ୧୯୬୬ ମସିହାରୁ ପଞ୍ଜାବ ଓ ହରିୟାଣାର ଯୁଗ୍ମ ରାଜଧାନୀ ଭାବେ ରହିଆସିଛି ଏବଂ ୧୯୮୪ରୁ ପଞ୍ଜାବ ରାଜ୍ୟପାଳଙ୍କ ଅଧୀନରେ ରହିଛି। ନୂଆ ବିଲ୍ରେ ଏହାକୁ ଲକ୍ଷଦ୍ୱୀପ ଓ ଆଣ୍ଡାମାନ-ନିକୋବର ଭଳି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରି ପୃଥକ୍ ଉପରାଜ୍ୟପାଳ ନିଯୁକ୍ତ କରିବାର ଯୋଜନା ଥିଲା। ଏହାକୁ ଆସନ୍ତା ୧ ଡିସେମ୍ବରରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ପଞ୍ଜାବରେ ଏହାକୁ ନେଇ ରାଜନୈତିକ ଝଡ଼ ଉଠିଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏହାକୁ ‘ପଞ୍ଜାବ ସହିତ ବଡ଼ ଅନ୍ୟାୟ’ ବୋଲି କହିଛନ୍ତି। ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ‘ଚଣ୍ଡୀଗଡ଼ ପଞ୍ଜାବର ଥିଲା, ପଞ୍ଜାବର ହିଁ ରହିବ। କେନ୍ଦ୍ରର ନିଷ୍ପତ୍ତି ସଂଘୀୟ ଢାଞ୍ଚା ଉପରେ ଆଘାତ।’ କଂଗ୍ରେସ ରାଜ୍ୟ ସଭାପତି ଅମରିନ୍ଦର ସିଂହ ରାଜା ଏହାକୁ ଅଗ୍ରହଣୀୟ ବୋଲି କହି ସଂସଦରେ ବିରୋଧ କରିବାକୁ ଘୋଷଣା କରିଛନ୍ତି। ଶିରୋମଣି ଅକାଳି ଦଳ ସଭାପତି ସୁଖବୀର ସିଂହ ବାଦଲ ଏହାକୁ ୧୯୮୫ ରାଜୀବ-ଲଙ୍ଗୋୱାଲ ଚୁକ୍ତିର ଖିଲାପ ବୋଲି ଅଭିହିତ କରିଛନ୍ତି। ଉତ୍ତର ଆମେରିକା ପଞ୍ଜାବୀ ସଂଘ (ନାପା) ମଧ୍ୟ ଏହାକୁ ‘ଅସାମ୍ବିଧାନିକ’ ଓ ‘ଅସମ୍ବେଦନଶୀଳ’ବୋଲି କହି ନିନ୍ଦା କରିଛି।
ଏଭଳି ବିରୋଧ ପରେ କେନ୍ଦ୍ର ସରକାର କହିଛନ୍ତି ଯେ, ବିଲ୍ ଉପରେ ପୁନର୍ବିଚାର କରାଯାଉଛି ଏବଂ ଏ ବିଷୟରେ ସମସ୍ତ ପକ୍ଷ ସହ ଆଲୋଚନା ପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/24/untitled-12-2025-11-24-07-26-07.jpg)