ଦର ଅଣାୟତ୍ତ ପରେ ଚେତିଲେ : ପିଆଜ ରପ୍ତାନିରେ କଟକଣା, ମହଜୁଦକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଶସ୍ତାରେ ବିକୁଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ : ଗତ କିଛିଦିନ ହେଲା ପିଆଜ ଦର ମାତ୍ରାଧିକ ହାରରେ ବଢ଼ିଯାଇଛି। ବିଭିନ୍ନ ସ୍ଥାନରେ ପିଆଜ କିଲୋ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ରୋଷକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଶେଷରେ ବାଧ୍ୟ ହୋଇ ପିଆଜ ରପ୍ତାନି ଏବଂ ମହଜୁଦ ଉପରେ ଆଜି କଟକଣା ଜାରି କରିଛନ୍ତି। ପିଆଜ ରପ୍ତାନିକୁ ତତ୍କାଳ ବନ୍ଦ କରିଦେଇଛନ୍ତି। ଏଥିସହିତ ପାଇକାରୀ ଏବଂ ଖୁଚୁରା ବ୍ୟବସାୟୀଙ୍କ ପାଇଁ ମଧ୍ୟ ପିଆଜ ମହଜୁଦ ସୀମା ଧାର୍ଯ୍ୟ କରିଛନ୍ତି। ଖୁଚୁରା ବ୍ୟବସାୟୀମାନେ ୧୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ଏବଂ ପାଇକାରୀ ବ୍ୟବସାୟୀମାନେ ୫୦୦ କୁଇଣ୍ଟାଲ ପର୍ଯ୍ୟନ୍ତ ପିଆଜ ମହଜୁଦ ରଖିପାରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି।

ପିଆଜ ଯେଭଳି କାହାରି ନିକଟରେ ମାତ୍ରାଧିକ ମହଜୁଦ ନରହେ ସେଥିପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ କିସମର ପିଆଜ ରପ୍ତାନି ଉପରେ ତୁରନ୍ତ କଟକଣା ଲାଗୁ କରାଯାଇଛି ବୋଲି ବହିର୍ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ରପ୍ତାନି କଟକଣା ବଳବତ୍ତର ରହିବ। ଗତ ୧୩ ତାରିଖରେ ବହିର୍ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ ପିଆଜର ସର୍ବନିମ୍ନ ରପ୍ତାନି ମୂଲ୍ୟକୁ ଟନ୍ ପିଛା ୮୫୦ ଡଲାର ଧାର୍ଯ୍ୟ କରାଯାଇଥିଲା। ଏହାପରେ ପିଆଜ ରପ୍ତାନି କମିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇ ନଥିଲା କିମ୍ବା ଦରକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ଏହା ସେତେଟା ସହାୟକ ହୋଇ ନଥିଲା। ତେବେ ରପ୍ତାନି ବନ୍ଦ ହେବା ପରେ ଦେଶରେ ପିଆଜ ଉପଲବ୍ଧତା ବୃଦ୍ଧି ପାଇବା ସହିତ ଦର ନିୟନ୍ତ୍ରଣରେ ରହିବ ବୋଲି କୁହାଯାଇଛି। ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ବନ୍ୟା ଯୋଗୁଁ ଦେଶରେ ପିଆଜ ଯୋଗାଣ ବ୍ୟାହତ ହୋଇଛି।

୨୦୧୮-୧୯ ଆର୍ଥିକ ବର୍ଷରେ ଭାରତ ମୋଟ ୪୯୬.୮୨ ନିୟୁତ ଡଲାର ମୂଲ୍ୟର ପିଆଜ ବିଦେଶକୁ ରପ୍ତାନି କରିଥିବା ବେଳେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ୧୫୪.୫ ନିୟୁତ ଡଲାରର ପିଆଜ ରପ୍ତାନି କରିଛି। ଭାରତ ସାଧାରଣତଃ ବାଂଲାଦେଶ, ଶ୍ରୀଲଙ୍କା ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ସବୁଠୁ ଅଧିକ ପିଆଜ ରପ୍ତାନି କରିଥାଏ।

ତେବେ ପିଆଜ ଦର ବୃଦ୍ଧି ପରେ ଦିଲ୍ଲୀ ସରକାର ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଏହାକୁ ଯୋଗାଇ ଦେବା ପାଇଁ ଗତକାଲିଠାରୁ ପଦକ୍ଷେପ ନେଇଛନ୍ତି। ଗ୍ରାହକଙ୍କୁ କିଲୋଗ୍ରାମ ପିଛା ୨୩ ଟଙ୍କା ୯୦ ପଇସା ଦରରେ ୫ ‌କି‌େଲା ଲେଖାଏଁ ପିଆଜ ଦେବାର ବ୍ୟବସ୍ଥା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତକାଲି ଭ୍ରାମ୍ୟମାଣ ଯାନ ମାଧ୍ୟମରେ ପିଆଜ ବିକ୍ରିର ଶୁଭାରମ୍ଭ କରିଛନ୍ତି। ଦିଲ୍ଲୀର ୭୦ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୭୦ଟି ଭ୍ରାମ୍ୟମାଣ ଯାନ ଏବଂ କଣ୍ଟ୍ରୋଲ ଦୋକାନରେ ଏହି ପିଆଜ ବିକ୍ରି ହେବ। ୫ ଦିନ ପରେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କେଜ୍ରିୱାଲ କହିଛନ୍ତି।

ସମ୍ବନ୍ଧିତ ଖବର