ନୂଆଦିଲ୍ଲୀ: ସୋମବାର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କ ଲାଗି ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର | ଆସନ୍ତାକାଲିଠାରୁ ଲକଡାଉନ୍ କିଛି କ୍ଷେତ୍ରରେ କୋହଳ ହେଉଥିବା ହେତୁ ଶ୍ରମିକମାନେ କିପରି ଭାବେ ନିଜ କର୍ମକ୍ଷେତ୍ରକୁ ଫେରିପାରିବେ ସେନେଇ ଗୃହ ମନ୍ତ୍ରାଳୟ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜିଓର୍ ବା ମାନକ ସଂଚାଳନ ପ୍ରକ୍ରିୟା ଜାରି କରାଯାଇଛି।
ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଂଚଳରେ ଫସି ରହିଥିବା ଶ୍ରମିକଙ୍କୁ ରାଜ୍ୟର ସୀମା ବାହାରକୁ ଯିବା ପାଇଁ ବାରଣ କରିଛି ଗୃହ ମନ୍ତ୍ରାଳୟ | ବର୍ତ୍ତମାନ ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ଫସି ରହିଛନ୍ତି, ସେମାନଙ୍କୁ ସେଇଠାରେ ରହି କାମ କରିବାକୁ ପଡିବ | ସେମାନେ ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳ ବାହାରକୁ ଯାଇ ପାରିବେ ନାହିଁ | ଏହି ଶ୍ରମିକମାନେ ଶିଳ୍ପ, ଉତ୍ପାଦନ, ନିର୍ମାଣ, ଚାଷ ଏବଂ ମନରେଗା କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି |
ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରବାସୀ ଶ୍ରମିକମାନେ ବର୍ତ୍ତମାନ ଯେଉଁ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳର ରିଲିଫ୍ / ଆଶ୍ରୟ ଶିବିରରେ ରହୁଛନ୍ତି, ସମ୍ପୃକ୍ତ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିକଟରେ ସେମାନଙ୍କୁ ପଞ୍ଜୀକୃତ କରାଯିବା ସହ ବିଭିନ୍ନ ପ୍ରକାରର କାର୍ଯ୍ୟ ପାଇଁ ସେମାନଙ୍କର ଯୋଗ୍ୟତା ଜାଣିବା ପାଇଁ ସେମାନଙ୍କ ସ୍କିଲ୍ ମ୍ୟାପିଂ କରାଯିବ | ଏହାପରେ ସେମାନେ ନିଜ ନିଜ କମର୍ମସ୍ଥଳୀକୁ ଫେରିବେ। ବସ୍ ଯୋଗେ ଶ୍ରମିକମାନଙ୍କ ଯାତ୍ରା ସମୟରେ ନିରାପଦ ସାମାଜିକ ଦୂରତା ନିୟମ ପାଳନ କରିବେ ଏବଂ ବସ୍ ଗୁଡିକ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପରିମଳ କରାଯାଉଛି କି ନାହିଁ ତାହା ନିଶ୍ଚିତ କରାଯିବ |
Ministry of Home Affairs (MHA) issues Standard Operating System for the movement of stranded labourers within the state/union territory - "There shall be no movement of labour outside the state/UT from where they are currently located." pic.twitter.com/qo0UFccp6r
— ANI (@ANI) April 19, 2020
ଯଦି ପ୍ରବାସୀ ଶ୍ରମିକମାନେ ଫସି ରହିଥିବା ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ଥିବା ସେମାନଙ୍କ କାର୍ଯ୍ୟ ସ୍ଥାନକୁ ଫେରିବାକୁ ଚାହାଁନ୍ତି, ତେବେ ସେମାନଙ୍କର ସ୍କ୍ରିନିଂ କରାଯାଇ ସେମାନଙ୍କୁ ତାଙ୍କ କାର୍ଯ୍ୟସ୍ଥଳକୁ ପଠାଯିବ ବୋଲି ଗୃହ ମନ୍ତ୍ରାଳୟ ଜାରି କରିଥିବା ଏସଓପିରେ କୁହାଯାଇଛି | ଏସଓପିରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଫସି ରହିଥିବା ଶ୍ରମିକମାନେ ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରୁ ବାହାର ରାଜ୍ୟକୁ ଯାଇ ପାରିବେ ନାହିଁ | ବର୍ତ୍ତମାନ ସେମାନେ ଯେଉଁଠି ଅଛନ୍ତି ସେହି ରାଜ୍ୟ ବା କେନ୍ଦ୍ରଶାସିତ ଅଂଚଳରେ ସେମାନଙ୍କୁ କାମ କରିବାକୁ ପଡିବ |