ନୂଆଦିଲ୍ଲୀ: ମଙ୍ଗଳବାର ଶ୍ରୀଲଙ୍କାର ପରିସ୍ଥିତିକୁ ନେଇ କେନ୍ଦ୍ର ଏକ ସର୍ବଦଳୀୟ ବୈଠକ କରିବ। ଜୁଲାଇ ୧୯ରେ ସଂସଦର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହେବ।ରବିବାର ଦିନ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସାକ୍ଷାତ କରିଥିଲେ। ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ଯେ ଶ୍ରୀଲଙ୍କାରେ ବର୍ତ୍ତମାନର ସଙ୍କଟ ସମ୍ପର୍କରେ ଆଲୋଚନା ପାଇଁ ସରକାର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧ୍ୟକ୍ଷତାରେ ଆଉ ଏକ ସର୍ବଦଳୀୟ ବୈଠକ ଡକାଯାଇଛି।
ଦେଶର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଭାରତ ଇନ୍ଧନ ଏବଂ ରାସନ ଯୋଗାଣରେ ସାହାଯ୍ୟ କରୁଛି। ଶ୍ରୀଲଙ୍କା ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଭାରତ ଏକ କ୍ରେଡିଟ୍ ଲାଇନ୍ ଅନ୍ତର୍ଗତ ୪୪,୦୦୦ ମେଟ୍ରିକ୍ ଟନ୍ ୟୁରିଆ ଶ୍ରୀଲଙ୍କାକୁ ହସ୍ତାନ୍ତର କରିଛି। ଶ୍ରୀଲଙ୍କା ସ୍ୱାଧୀନତା ପରଠାରୁ ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାରୀ ଟ୍ରେଜେରୀ ସଂପୂର୍ଣ୍ଣ ଖାଲି ହୋଇଯାଇଥିବା ସହ ତେଲ ଏବଂ ଔଷଧ ଭଳି ଜରୁରୀ ଜିନିଷ କିଣିବା ପାଇଁ ସରକାରଙ୍କ ପାଖରେ ଅର୍ଥ ନାହିଁ। ଦେଶରେ ଖାଦ୍ୟ ସାମଗ୍ରୀ, ଇନ୍ଧନ, ଏଲପିଜିର ଅଭାବ ଦେଖାଦେଇଛି। ପ୍ରାୟ ସମସ୍ତ ସହରରେ ଇନ୍ଧନ ପାଇବା ପାଇଁ ହଜାର ହଜାର ଲୋକଙ୍କ ଷ୍ଟେସନରେ ଲମ୍ବା ଧାଡି ଦେଖିବାକୁ ମିଳୁଛି। ଏଭଳି ସଙ୍କଟ ସମୟରେ ଭାରତକୁ ଗତକାଲି ପ୍ରଶଂସା କରିଥିଲେ ଶ୍ରୀଲଙ୍କାର ଶକ୍ତି ମନ୍ତ୍ରୀ କଞ୍ଚନା ବିଜେସେକେରା।
ସେ କହିଥିଲେ ଯେ, ଆର୍ଥିକ ସଙ୍କଟ ସମୟରେ ଆମେ ସାହାଯ୍ୟ ପାଇଁ ଅନେକ ଦେଶ ସହ କଥା ହୋଇଥିଲୁ। ବିଭିନ୍ନ ଦେଶରୁ ଇନ୍ଧନ ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ଏହି ସଙ୍କଟ ସମୟରେ ଏପର୍ଯ୍ୟନ୍ତ ଭାରତ ହିଁ ଆମକୁ ସାହାଯ୍ୟ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/t-32.jpg)