ମମତାଙ୍କ ରୋମ ଗସ୍ତ ପାଇଁ ଅନୁମତି ଦେଲା ନାହିଁ କେନ୍ଦ୍ର ; ମୋଦୀ ମୋତେ ଇର୍ଷା କରୁଛନ୍ତି ବୋଲି କହିଲେ ମମତା

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆସନ୍ତା ମାସରେ ନିର୍ଦ୍ଧାରିତ ହୋଇଥିବା ରୋମ ଗସ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ଦେଇନାହାନ୍ତି | ‘ବିଶ୍ୱ ଶାନ୍ତି ସମ୍ମିଳନୀ’ରେ ଭାଗ ନେବାକୁ ମମତା ବାନାର୍ଜୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପ୍ରତି ଇର୍ଷା କରୁଛନ୍ତି।

ମମତା ବାନାର୍ଜୀ କହିଛନ୍ତି, “ଆପଣ ମୋତେ ଅଟକାଇ ପାରିବେ ନାହିଁ, ମୁଁ ବିଦେଶ ଯିବାକୁ ଆଗ୍ରହୀ ନୁହେଁ, କିନ୍ତୁ ଏହା ଦେଶର ସମ୍ମାନ ସହ ଜଡିତ ଥିଲା | ଆପଣ (ନରେନ୍ଦ୍ର ମୋଦୀ) ହିନ୍ଦୁତ୍ୱ ବାବଦରେ କହୁଛନ୍ତି ଏବଂ ମୁଁ ମଧ୍ୟ ଜଣେ ହିନ୍ଦୁ ମହିଳା। ଆପଣ ମୋତେ କାହିଁକି ଅନୁମତି ଦେଉନାହାନ୍ତି? ଆପଣ ଇର୍ଷା କରୁଛନ୍ତି ”। ତୃଣମୂଳ କଂଗ୍ରେସ ମୁଖପାତ୍ର ଦେବାଂଶୁ ଭଟ୍ଟାଚାର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ଦିଦିଙ୍କ ରୋମ ଗସ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ଦେବାକୁ ମନା କରି ଦେଇଛନ୍ତି। ଏହାପୂର୍ବରୁ ତାଙ୍କର ଚୀନ୍ ଗସ୍ତ ପାଇଁ ଅନୁମତି ମଧ୍ୟ ବାତିଲ କରିଥିଲେ। ଅନ୍ତର୍ଜାତୀୟ ସମ୍ପର୍କ ଏବଂ ଭାରତର ହିତକୁ ଦୃଷ୍ଟିରେ ରଖି ଆମେ ସେହି ନିଷ୍ପତ୍ତି ଗ୍ରହଣ କରିଥିଲୁ। କିନ୍ତୁ ବର୍ତ୍ତମାନ ଇଟାଲୀ କାହିଁକି ମୋଦୀ ଜୀ? ପଶ୍ଚିମବଙ୍ଗ ସହିତ ଆପଣଙ୍କର ଅସୁବିଧା କ’ଣ”?

ସୂଚନା ମୁତାବକ ଚଳିତ ବର୍ଷ ଅଗଷ୍ଟରେ ରୋମରେ ଅବସ୍ଥିତ କ୍ୟାଥୋଲିକ୍ ଆସୋସିଏସନ୍ ଅଫ୍ ସାଣ୍ଟ ଏଗିଡିଓର ସଭାପତି ମାକ୍ରୋ ଇମ୍ପାଗ୍ଲିଆଜୋଜୋ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମମତାଙ୍କୁ ନିମନ୍ତ୍ରଣ କରିଥିଲେ । ମମତା ଏକମାତ୍ର ଭାରତୀୟ ଭାବେ ସେଠାରେ ଯୋଗ ଦେଇଥାନ୍ତେ | ଅକ୍ଟୋବର ୬ ଏବଂ ୭ ତାରିଖରେ ହେବାକୁ ଥିବା କାର୍ଯ୍ୟକ୍ରମରେ ପୋପ୍ ଫ୍ରାନ୍ସିସ୍, ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କୁ ମଧ୍ୟ ଡକାଯାଇଛି |

ସମ୍ବନ୍ଧିତ ଖବର