ନୂଆଦିଲ୍ଲୀ: ଅର୍ଥନୈତିକ କ୍ଷେତ୍ରରେ ଅନଗ୍ରସର ବା ପଛୁଆ ରହିଥିବା ଉଚ୍ଚଜାତିର ଲୋକଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତର ସଂରକ୍ଷଣ ସୁବିଧା ପ୍ରଦାନ ପାଇଁ କେନ୍ଦ୍ରର ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି। ମୋଦି ସରକାରଙ୍କର ଏହି ନିଷ୍ପତ୍ତିକୁ ଆଜି ଅପରାହ୍ଣରେ କ୍ୟାବିନେଟ ମଞ୍ଜୁରି ମିଳିଯିବା ପରେ ଏବେ ବଳବତ୍ତର ରହିଥିବା ସଂସଦର ଶୀତକାଳିନ ଅଧିବେଶନରେ ଆସନ୍ତା କାଲି (ମଙ୍ଗଳବାର) ଏହାକୁ ବିଲ୍‌ ଆକାରରେ ପେଶ୍‌ କରାଯିବ ବୋଲି ଜାଣିବା ପାଇଁ ମିଳିଛି।

Advertisment

ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର କେତୋଟି ମାସ ବାକି ରହି ଯାଇଥିବା ବେଳେ, ଦେଶର ଉଚ୍ଚଜାତିର ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ମୋଦି ସରକାରଙ୍କର ଏହା ଏକ ରାଜନୈତିକ ଚାଲ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ କହିଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ପୂର୍ବରୁ କେବଳ ମାତ୍ର ଅନୁସୂଚୀତ ଜାତି ଓ ଜନଜାତିମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ରହିଥିଲା ଏବଂ ଏହାକୁ ସାମ୍ବିଧାନିକ ଅନୁମତି ମଧ୍ୟ ମିଳିଥିଲା। ତେବେ, ପରବର୍ତ୍ତୀ ସମୟରେ କେବଳ ବ୍ରାହ୍ମଣ, କରଣ, ଓ ରାଜପୁତ୍‌ ପରି ହାତଗଣତି କେତୋଟି ଉଚ୍ଚଜାତିକୁ ବାଦ ଦେଇ; ବାକି ପ୍ରାୟ ଅନ୍ୟ ସମସ୍ତ ଜାତିର ବ୍ୟକ୍ତିବିଶେଷଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ରେ ସାମିଲ କରିବା ସହ ସରକାର ସେମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ପ୍ରଦାନ କରିଥିଲେ। ଏହାପରେ ଅର୍ଥିକ ସ୍ତରରେ ଅନଗ୍ରସର ରହିଥିବା ଉଚ୍ଚଜାତିଙ୍କ ପାଇଁ ମଧ୍ୟ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ରଖିବା ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା।

publive-image

ଏହି ପରିପ୍ରେକ୍ଷୀରେ ମୋଦି ସରକାର ଅର୍ଥନୈତିକ କ୍ଷେତ୍ରରେ ଅନଗ୍ରସର ଉଚ୍ଚଜାତିର (ବ୍ରାହ୍ମଣ, କରଣ, ରାଜପୁତ୍‌) ଲୋକଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତର ସଂରକ୍ଷଣ ସୁବିଧା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି। ମୋଦି ସରକାରଙ୍କର ଏହି ନିଷ୍ପତ୍ତିକୁ ଆଜି ଅପରାହ୍ଣରେ କ୍ୟାବିନେଟ ମଞ୍ଜୁରି ମିଳିଯିବା ପରେ ସମ୍ବିଧାନର ଧାରା ୧୫ ଓ ୧୬କୁ ସଂଶୋଧନ କରି ସେଥିରେ ଉଚ୍ଚଜାତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସୁବିଧା ଯୋଡ଼ିବାକୁ ମୋଦି ସରକାର ମଙ୍ଗଳବାର ସଂସଦର ଉଭୟ ଗୃହରେ ସମ୍ବିଧାନ ସଂଶୋଧନ ବିଲ୍‌ ଆଗତ କରିବେ। ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ଶାସକ ଦଳ ମନ୍ତ୍ରୀ ଓ ସାଂସଦମାନେ ସ୍ୱାଗତ କରିଥିବା ବେଳେ ବିରୋଧୀ ଦଳ ଏ ମାମଲାରେ ନିରବ ରହିଛନ୍ତି।