ନୂଆଦିଲ୍ଲୀ: କେରଳରେ ନିପାହ ଭୂତାଣୁ ନେଲା ୨ଜୀବନ। ସୋମବାର କେରଳର କୋଜିକୋଡେ ଜିଲ୍ଲାର ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁହେଁ ନିପାହ ଭୂତାଣୁ ଦ୍ବାରା ଦୁହେଁ ସଂକ୍ରମିତ ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଦିନ ଏହା ନିଶ୍ଚିତ କରିଛନ୍ତି। ଏହି ଘଟଣାର ତଦାରଖ କରିବା ଏବଂ ରାଜ୍ୟ ସରକାରଙ୍କୁ ସହାୟତା କରିବା ପାଇଁ କେରଳକୁ ଏକ ବିଶେଷଜ୍ଞ ଦଳ ପଠାଯାଇଛି।
ସରକାରୀ ସୂତ୍ରରୁ ପ୍ରକାଶ ଯେ କେରଳରେ ନିପାହ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ସନ୍ଦେହ କରି ଅତି କମରେ ଚାରି ଜଣଙ୍କ ନମୁନା ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପରୀକ୍ଷା କରିବାକୁ ପଠାଯାଇଛି। ୨ଜଣକ ମୃତ୍ୟୁ ହେବା ପରେ ସୋମବାର ନିପାହ ଭୂତାଣୁ ପୁଣି ଥରେ ଫେରିଥିବା ସନ୍ଦେହ କରି କେରଳବାସୀଙ୍କୁ ସତର୍କ ହେବାକୁ କହିଥିଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। ହେଲେ ଆଜି ସରକାରଙ୍କ ସନ୍ଦେହ ଦୂର ହୋଇଛି।
ମାଲେସିଆର ଗାଁର ନାମରେ ଭୂତାଣୁର ନାମ ନିପାହ ଦିଆଯାଇଥିଲା। କାରଣ ୧୯୯୮-୯୯ ମସିହାରେ ଏହି ଭୂତାଣୁ ପ୍ରଥମେ ସେଠାରେ ଚିହ୍ନଟ ହୋଇଥିଲା।