ମହାନଦୀ ଟ୍ରିବ୍ୟୁନାଲ୍‌ ଗଠିତ

ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଓ୍ଵିଲକର ହେଲେ ଅଧ୍ୟକ୍ଷ

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଆଜି ବହୁପ୍ରତୀକ୍ଷିତ ଟ୍ରିବ୍ୟୁନାଲ୍‌ ଗଠନ କରିଛନ୍ତି।

ତିନି ଜଣିଆ ଟ୍ରିବ୍ୟୁନାଲରେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏମ୍‌. ଖାନ୍‌ଓ୍ଵିଲକରଙ୍କୁ ଅଧ୍ୟକ୍ଷ କରାଯାଇଛି। ଟ୍ରିବ୍ୟୁନାଲ୍‌ର ଅନ୍ୟ ଦୁଇ ସଦସ୍ୟ ହେଲେ ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ଡକ୍ଟର୍‌ ରବି ରଞ୍ଜନ ଓ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଇନ୍ଦରମିତ କୌର କୋଚର୍‌। କେନ୍ଦ୍ର ଜଳସମ୍ପଦ, ନଦୀ ବିକାଶ ଓ ଗଙ୍ଗା ରିଜ୍ୟୁଭେସନ୍‌ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି।

ପରବର୍ତ୍ତୀ ସମୟରେ ସମ୍ବେଦନଶୀଳ ଜଳବିବାଦ ମାମଲା ବୁଝୁଥିବା ଦୁଇ ଜଣ ଜଳସମ୍ପଦ ବିଶେଷଜ୍ଞଙ୍କୁ ଟ୍ରିବ୍ୟୁନାଲ୍‌ରେ ମୂଲ୍ୟାଙ୍କନ କର୍ମୀ ଭାବେ ନିଯୁକ୍ତି ଦିଆଯିବ। ଆନ୍ତଃରାଜ୍ୟ ଜଳବିବାଦ ଆଇନ୍‌-୧୯୫୬ ଅନ୍ତର୍ଗତ ଗଠନ କରାଯାଇଥିବା ଏହି ଟ୍ରିବ୍ୟୁନାଲ୍‌ ମହାନଦୀ ଅବବାହିକାରେ ଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଜଳର ଆବଣ୍ଟନ ତଥା ଭବିଷ୍ୟତ ବିକାଶ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବ। ଟ୍ରିବ୍ୟୁନାଲ୍‌ର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିବ। ଟ୍ରିବ୍ୟୁନାଲ୍‌ ତିନି ବର୍ଷ ମଧ୍ୟରେ ରିପୋର୍ଟ ଦେବ। ତେବେ ଆବଶ୍ୟକ ପଡ଼ିଲେ, ଟ୍ରିବ୍ୟୁନାଲ୍‌ର କାର୍ଯ୍ୟକାଳକୁ ଅତି ବେଶୀରେ ଆଉ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ।

ସୂଚନାଯୋଗ୍ୟ, ଗତ ମାସ ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ୍‌ ଦ୍ୱାରା ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ଗଠନ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଥିଲା।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ର ବେଆଇନ୍‌ ବ୍ୟାରେଜ୍‌ ନିର୍ମାଣକୁ ବିରୋଧ କରି ଓଡ଼ିଶା ପକ୍ଷରୁ ପିଟିସନ ଦାୟର କରାଯାଇଥିଲା। ୨୦୧୬ ନଭେମ୍ବର ୧୯ ତାରିଖରେ ଏହି ବିବାଦର ସମାଧାନ ନିମନ୍ତେ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଓଡ଼ିଶା ସରକାର ଏହି ପିଟିସନ୍‌ ଦାଖଲ କରିଥିଲେ। ଏହା ପରେ କେନ୍ଦ୍ର ସରକାର ୨୦୧୭ ଜାନୁଆରି ୧୯ ତାରିଖରେ ମାମଲାର ସମାଧାନ ପାଇଁ ବୁଝାମଣା କମିଟି ଗଠନ କରିଥିଲେ। କିନ୍ତୁ ଏହି କମିଟିକୁ ଓଡ଼ିଶା ପ୍ରତ୍ୟାଖ୍ୟାନ କରିବା ସହ ବୈଠକରେ ଯୋଗ ଦେଲାନାହିଁ। ଜଳସମ୍ପଦ ମନ୍ତ୍ରଣାଳୟ ନିକଟରେ ଓଡ଼ିଶା ସରକାର ପିଟିସନ୍‌ ଦାଖଲ କରିବାର ବର୍ଷକ ଭିତରେ ଅର୍ଥାତ ୨୦୧୭ ନଭେମ୍ବର ୧୯ ସୁଦ୍ଧା ଟ୍ରିବ୍ୟୁନାଲ୍‌ ଗଠନ ହେବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସମୟସୀମା ଭିତରେ ଟ୍ରିବ୍ୟୁନାଲ୍‌ ଗଠନ ନେଇ ବିଜ୍ଞପ୍ତି ଜାରି ହେଲା ନାହିଁ।

ଗତ ମାସ ୨୩ ତାରିଖରେ ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାର ଆପୋସ ବୁଝାମଣା ଦ୍ୱାରା ବିବାଦର ସମାଧାନ କରାଯାଇ ପାରିବ ଓ ଟ୍ରିବ୍ୟୁନାଲ ଗଠନର ଆବଶ୍ୟକତା ନ ଥିବା ନେଇ ଯୁକ୍ତି ବାଢ଼ିଥିଲେ। ମାତ୍ର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମସ୍ତ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ମାସକ ଭିତରେ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶାର ସମସ୍ତ ଆପତ୍ତି ଅଭିଯୋଗ ଟ୍ରିବ୍ୟୁନାଲ୍‌ରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ୱାରା ଟ୍ରିବ୍ୟୁନାଲ୍‌ ଗଠନ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ହେଲା ପରେ ମହାନଦୀ ଜଳବିବାଦର ଅବସାନ ଶୀଘ୍ର ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର