କେନ୍ଦ୍ର-ଦିଲ୍ଲୀ ସରକାର ବିବାଦ: ସମ୍ବିଧାନ ପୀଠ ଗଠିତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଅଞ୍ଚଳରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ ପ୍ରଶାସନିକ ସେବାର କ୍ଷମତା ପରିସରକୁ ନେଇ ଲାଗି ରହିଥିବା ବିବାଦର ଶୁଣାଣି ସମ୍ବିଧାନ ଖଣ୍ଡପୀଠ ଦ୍ବାରା କରାଯିବ। ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ୫ ଜଣ ବିଚାରପତିଙ୍କୁ ନେଇ ପ୍ରଧାନ ବିଚାରପତି ଏନଭି ରମଣା ଏହି ସମ୍ବିଧାନ ଖଣ୍ଡପୀଠ ଗଠନ କରିଛନ୍ତି। ଚଳିତବର୍ଷ ମେ ମାସରେ ୩ ଜଣିଆ ଖଣ୍ଡପୀଠ ଏସଂକ୍ରାନ୍ତ ମାମଲାକୁ ସମ୍ବିଧାନ ଖଣ୍ଡପୀଠକୁ ପଠାଇ ଥିଲେ। କିନ୍ତୁ ଆଜି ଯେତେବେଳେ ଆଇନଜୀବୀ ଶାଦନ ଫରାସତ ମୌଖିକ ଭାବେ ଏହି ପ୍ରସଙ୍ଗ ଉଠାଇଥିଲେ ସେତେବେଳେ ପ୍ରଧାନ ବିଚାରପତି ଉକ୍ତ ସମ୍ବିଧାନ ଖଣ୍ଡପୀଠ ଗଠନ ହୋଇ ସାରିଥିବା ସୂଚନା ଦେଇଥିଲେ। ସମ୍ବିଧାନ ଅନୁଯାୟୀ ଦିଲ୍ଲୀରେ ଅବସ୍ଥାପିତ ବିଭିନ୍ନ ପ୍ରକାର ଅଧିକାରୀ ଏବଂ ଦିଲ୍ଲୀ ସରକାରଙ୍କୁ ଦିଆଯାଇଥିବା ଆଇଏଏସ, ଆଇପିଏସ, ଡିଏଏନଆଇଏଏସ୍‌, ଡିଏଏନଆଇପିଏସ୍‌ ମାନେ ଦିଲ୍ଲୀ ସରକାରଙ୍କ ପ୍ରଶାସନିକ କ୍ଷମତା ପରିସରରେ ଆସୁଛନ୍ତି କି ନାହିଁ ତାହାକୁ ନେଇ ବିବାଦ ଚାଲିଛି।

୨୦୧୯ରେ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି ଏହି ମାମଲାରେ ପୃଥକ ମତ ଦେଇଥିଲେ। ତାହାପରେ ସେହି ପ୍ରସଙ୍ଗକୁ ଏକ ତିନି ଜଣିଆ ଖଣ୍ଡପୀଠକୁ ପଠାଯାଇଥିଲା। ପୁନଶ୍ଚ, ୨୦୨୨ ମେ ମାସରେ ପ୍ରଧାନ ବିଚାରପତି ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଉକ୍ତ ମାମଲା ସମ୍ବିଧାନ ପୀଠକୁ ସମ୍ବିଧାନର ଧାରା ୧୪୫(୩) ଅନୁସାରେ ଯିବା ଆବଶ୍ୟକ ବୋଲି ଆଦେଶ ଦେଇଥିଲେ। ତେବେ ଆଜି ଏହି ପ୍ରସଙ୍ଗରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଆଇନଜୀବୀ ଫରାସତ ଅଦାଲତଙ୍କୁ ସମ୍ବିଧାନର ଧାରା ୧୪୫(୩) ଅନୁସାରେ ସମ୍ବିଧାନ ଖଣ୍ଡପୀଠ ଗଠନ କରିବା ପାଇଁ ଅନୁରୋଧ କରିଥିଲେ। ମାମଲାର ତ୍ବରିତ ବିଚାର ପାଇଁ ଅଗଷ୍ଟ ମାସରେ ଏହି ଖଣ୍ଡପୀଠ ଗଠନ କରିବାକୁ ସେ କହିଥିଲେ। ଏହାପରେ ପ୍ରଧାନ ବିଚାରପତି ଏହି ସମ୍ବିଧାନ ଖଣ୍ଡପୀଠ ଗଠନ ହୋଇ ସାରିଥିବା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର