ନୂଆଦିଲ୍ଲୀ: କରୋନା ବିରୋଧୀ ଟିକାକରଣକୁ ନେଇ ପୁଣେର ଟିକା ନିର୍ମାତା କମ୍ପାନି ସେରମ ଇନଷ୍ଟିଚ୍ୟୁଟର ସହ ନିର୍ଦ୍ଦେଶକ ସୁରେଶ ଯାଦବ କହିଛନ୍ତି କି ସରକାର ଟିକାକରଣ ଅଭିଯାନ ବିସ୍ତାର କରିବା ପୂର୍ବରୁ ଟିକାର ଷ୍ଟକ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ଧ୍ୟାନ ଦେଇ ନାହାନ୍ତି । ତାଙ୍କର ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଦେଶରେ ଟିକାର ଅଭାବ ଦେଖାଦେଇଛି ଓ ରାଜ୍ୟ ସରକାରମାନେ ଟିକା ଯୋଗାଇ ଦେବାକୁ କେନ୍ଦ୍ର ପାଖରେ ଦାବି କରୁଛନ୍ତି ।
ଏକ କାର୍ଯ୍ୟକ୍ରମରେ ଯାଦବ କହିଛନ୍ତି କି, ଭାରତ ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗାଇଡଲାଇନକୁ ଧ୍ୟାନରେ ରଖି ଦେଶରେ କେଉଁ ବୟସ ଓ କେଉଁ ବୃତ୍ତିର ଲୋକଙ୍କୁ ପ୍ରାଥମିକତା ଆଧାରରେ ପ୍ରଥମେ ଟିକା ଦେବା ଆବଶ୍ୟକ ତାହା ନିର୍ଣ୍ଣୟ କରିବା କଥା । ହେଲେ ସରକାର ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାଦେବାକୁ ଘୋଷଣା କରିଦେଲେ । ମାତ୍ର ସରକାର ଜାଣିଥିଲେ କି ଟିକା ନିର୍ମାତା କମ୍ପାନିମାନଙ୍କ ପାଖରେ ଏତେ ପରିମାଣର ଟିକା ଷ୍ଟକ ନାହିଁ ।
/sambad/media/post_attachments/65d9f721c4e59a96798727968d1078d02c5dfa49d700512e47e19e3bd73d7c29.jpg)
ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, ଲୋକଙ୍କ ପାଇଁ ଟିକାର ଆବଶ୍ୟକତା ରହିଛି । ମାତ୍ର ଟିକାର ୨ଟି ଯାକ ଡୋଜ ନେବା ପରେ ବି ଲୋକମାନେ ସଂକ୍ରମିତ ହେଉଛନ୍ତି । ତେଣୁ କରୋନାରୁ ରକ୍ଷା ପାଇବାକୁ ହେଲେ ଟିକା ନେବା ପୂର୍ବରୁ ଓ ଟିକା ନେବା ପରେ ବି ସଚେତନ ରହିବା ଜରୁରୀ । ଏହାସହ କରୋନା ଭୂତାଣୁର ବିଭିନ୍ନ ଭାରିଏଣ୍ଟ ଟିକା ଉତ୍ପାଦନରେ ବାଧା ସୃଷ୍ଟି କରିପାରେ ବୋଲି ସେ ଅନୁମାନ କରିଛନ୍ତି ।