ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ ସମୟରେ ଦରମା ପ୍ରଦାନ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶ କରୋନା ଭାଇରସ ବିରୁଦ୍ଧରେ ଲଢୁଥିବାବେଳେ ଏହି ଲଢେଇରେ ଯୋଦ୍ଧାଭାବେ ଅବତୀର୍ଣ୍ଣ ହୋଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । କିନ୍ତୁ କେତେକ ରାଜ୍ୟରେ ଡାକ୍ତରମାନଙ୍କୁ ଠିକ ସମୟରେ ଦରମା ମିଳୁନଥିବାରୁ କିଛିଦିନ ତଳେ ସୁପ୍ରିମକୋର୍ଟ ସରକାରଙ୍କ ଉପରେ ବିରକ୍ତ ହେବା ସହ ଏ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର ଆଜି ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ନୋଟିସ ଜାରି କରି କୋଭିଡ-୧୯ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଗୁରୁତ୍ୱର ସହ ପାଳନ କରିବାକୁ କୁହାଯାଇଛି । ଏହି ନିର୍ଦ୍ଦେଶ ଉଲ୍ଲଙ୍ଘନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭିନ୍ନ ହସପିଟାଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଦେଇଛନ୍ତି ।
ଗତ ଜୁନ ୧୨ରେ ସୁପ୍ରିମକୋର୍ଟ କହିଥିଲେ ଯେ ଏକ ଯୁଦ୍ଧରେ ତୁମେ ସୈନିକ ମାନଙ୍କୁ ଅସନ୍ତୁଷ୍ଟ କରିପାରିବ ନାହିଁ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଠିକ ସମୟରେ ଦରମା ପ୍ରଦାନ ଓ ସେମାନଙ୍କ ଆପତ୍ତି ଅଭିଯୋଗର ଶୁଣାଣି କରିବାକୁ ଅତିରିକ୍ତ ଉଦ୍ୟମ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଜାରି କରିବାକୁ ମଧ୍ୟ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର