ନୂଆଦିଲ୍ଲୀ: ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରାଳୟ ପକ୍ଷରୁ ୨୫୦ ଟ୍ବିଟ୍ ଏବଂ ଆକାଉଣ୍ଟ୍କୁ ବ୍ଲକ୍ କରିବା ପାଇଁ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ବିଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି। ମିଥ୍ୟା ସୂଚନା ଓ ଅନ୍ୟକୁ ଉସୁକାଇବା ପରି ଟ୍ବିଟ୍ଗୁଡ଼ିକୁ ଚିହ୍ନଟ କରିବା ପରେ ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି।
କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତରେ ରଖିବା ପାଇଁ ଗୃହ ମନ୍ତ୍ରାଳୟ (ଏମଏଚଏ) ଏବଂ ଆଇନ ଶୃଙ୍ଖଳା ଏଜେନ୍ସିର ଅନୁରୋଧ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ସୂଚନା ରହିଛି ଯେ ଚିହ୍ନଟ ହୋଇଥିବା ଟ୍ବିଟ୍ର ଆକାଉଣ୍ଟ୍ଗୁଡ଼ିକରେ ଭୁଲ୍ ତଥ୍ୟ ପ୍ରଚାର କରାଯିବା ସହ ହ୍ୟାସ୍ଟ୍ୟାଗ୍ ଦିଆଯାଇ ‘ମୋଦୀପ୍ଲାନିଂଜେନୋସାଇଡ୍’ ଟ୍ବିଟ୍ ଟ୍ବିଟର୍ରେ ଟ୍ରେଣ୍ଡ୍ ହେବାରେ ଲାଗିଛିି, ଯାହାଫଳରେ ଲୋକମାନଙ୍କ ନିକଟରେ ଅନେକ ଭୁଲ୍ ତଥ୍ୟ ପହଞ୍ଚୁଛି।
ନ୍ୟୁଜ୍ ଏଜେନ୍ସି ପିଟିଆଇର ସୂଚନା ମୁତାବକ, ସୋମବାର ଅନେକ ଆକାଉଣ୍ଟ୍କୁ ସ୍ଥଗିତ କରି ରଖାଯାଇଛି। ସେଗୁଡ଼ିକ ମଧ୍ୟରୁ ଅନେକ ଆକାଉଣ୍ଟ୍ କୃଷକ ଆନ୍ଦୋଳନ ସହ ଜଡ଼ିତ ବୋଲି ଜାଣିବାକୁ ମିଳିଛି। ସ୍ଥଗିତ ଥିବା ଆକାଉଣ୍ଟ୍ଗୁଡ଼ିକ ମଧ୍ୟରୁ କିସାନ ଏକ୍ତା ମୋର୍ଚା ଓ ବି.କେ.ୟୁ ଏକ୍ତା ଉର୍ଗାହାନ ବି ରହିଛି। ଏହି ଦୁଇ ଟ୍ବିଟ୍ର ଆକାଉଣ୍ଟ୍ରେ ହଜାର ହଜାର ଫଲୋୟର୍ସ ଅଛନ୍ତି। ଏହାବ୍ୟତୀତ, ଅନ୍ୟ ବ୍ୟକ୍ତିବିଶେଷ, ସାଂଗଠନିକ ଆକାଉଣ୍ଟଗୁଡିକ ଏବଂ କିଛି ଗଣମାଧ୍ୟମ ସଂସ୍ଥାର ଟ୍ବିଟ୍ ଆକାଉଣ୍ଟ୍କୁ ମଧ୍ୟ ସ୍ଥଗିତ ରଖାଯାଇଛି।