ନୂଆଦିଲ୍ଲୀ: ସିବିଆଇ, ଇଡି ଏବଂ ଏନଆଇଏ ସମେତ ଦେଶର ଅନ୍ୟାନ୍ୟ ସମସ୍ତ ଅନୁସନ୍ଧାନକାରୀ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବା ପ୍ରସଙ୍ଗରେ କେନ୍ଦ୍ର ସରକାର ଅଧିକ ସମୟ ମାଗୁ ଥିବାରୁ ସୁପ୍ରିମକୋର୍ଟ ଆଜି (ମଙ୍ଗଳବାର) ଆଜି ଗଭୀର ଅସନ୍ତୋଷ ବ୍ୟକ୍ତ କରବା ସହ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି।

Advertisment

ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଆର ଏଫ୍‌ ନରିମାନଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ଏହି ପ୍ରସଙ୍ଗ ନାଗରିକଙ୍କ ଅଧିକାର ସହ ସଂପୃକ୍ତ। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ଡିସେମ୍ବର ୨ରେ ଦେଶର ସମସ୍ତ ଅନୁସନ୍ଧାନକାରୀ ସଂସ୍ଥା କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଏବଂ ରେକର୍ଡିଂ ଉପକରଣ ସ୍ଥାପନ କରିବାକୁ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ, ବର୍ତ୍ତମାନ ପାଇଁ ଏହି ମାମଲାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ଦାଖଲ କରିଥିବା ଚିଠିରେ ଯେଉଁ ବାହାନାକୁ ଦର୍ଶାଇଛି ତାହାକୁ ଆମେ ଗ୍ରହଣ କରୁନାହୁଁ।

ବିଚାରପତି ଜଷ୍ଟିସ ବି ଆର ଗାଭାଇ ଏବଂ ଜଷ୍ଟିସ୍‌ ହୃଷିକେଶ ରୟଙ୍କୁ ନେଇ ଗଠିତ ଏହି ଖଣ୍ଡପୀଠରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ଖଣ୍ଡପୀଠ କହିଛନ୍ତି ଯେ ଏ ମାମଲାରେ ତୁମେ ତୁମର ପାଦ ଖସାଇ ନେଉଛ। ଆଜି ଭିଡିଓ କନଫରେନ୍‌ସିଂ ମାଧ୍ୟମରେ କରାଯାଇଥିବା ଶୁଣାଣି ସମୟରେ ଶ୍ରୀ ମେହେଟ୍ଟା ଖଣ୍ଡପୀଠଙ୍କୁ କହଥିଲେ ଯେ ଏହି ଘଟଣାର ପ୍ରଭାବ ଥାଇପାରେ। ତେବେ, ଖଣ୍ଡପୀଠ କହିଛନ୍ତି ଯେ ଏହା ନାଗରିକଙ୍କ ଅଧିକାର ସହ ଜଡିତ, ଆମେ ଏ ସଂପର୍କରେ କୌଣସି ବାହାନା ଗ୍ରହଣ କରିବାକୁ ପ୍ରସ୍ତୁତ ନୋହୁଁ।

ଖଣ୍ଡପୀଠ କହିଥିଲେ ଯେ ଆମେ ଏହାର ପ୍ରଭାବ ବିଷୟରେ ଚିନ୍ତା କରୁନାହୁଁ। ଏଥିସହ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟାଳୟରେ ସିସିଟିଭି ସ୍ଥାପନ ପାଇଁ ପାଣ୍ଠି ଆବଣ୍ଟନ ବିଷୟରେ ଶୀର୍ଷ କୋର୍ଟ ସଲିସିଟର ଜେନେରାଲ ଶ୍ରୀ ମେହେଟ୍ଟାଙ୍କୁ ମଧ୍ୟ ପଚାରିଥିଲେ। ତେବେ, ଶ୍ରୀ ମେହେଟା ଏହି ମାମଲାରେ ଏକ ଆଫିଡେଭିଟ୍‌ ଦାଖଲ କରିବାକୁ ଖଣ୍ଡପୀଠଙ୍କୁ କିଛି ସମୟ ମାଗିଥିଲେ। ପାଣ୍ଠି ଆବଣ୍ଟନ ଏବଂ ସିସିଟିଭି କ୍ୟାମେରା ସ୍ଥାପନ ପାଇଁ ସମୟସୀମା ଉଲ୍ଲେଖ ସହ ଏକ ଆଫିଡେଭିଟ୍‌ ତିନି ସପ୍ତାହ ମଧ୍ୟରେ କୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ କେନ୍ଦ୍ରକୁ ତିନି ସପ୍ତାହ ସମୟ ପ୍ରଦାନ କରିଛନ୍ତି।