୨୦୧୯-୨୦ ଆର୍ଥିକ ବର୍ଷରେ ବିଜ୍ଞାପନ ବାବଦକୁ ସରକାର ଖର୍ଚ୍ଚ କରିଛନ୍ତି ୭ ଶହ କୋଟିରୁ ଉର୍ଦ୍ଧ୍ବ, ସର୍ବାଧିକ ଭାଗ ପାଇଛି ବୈଦୁତିକ ଗଣମାଧ୍ୟମ

ନୂଆଦିଲ୍ଲୀ: ବିଜ୍ଞାପନରେ ସରକାର ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି ଟଙ୍କା । ଆପଣ ଭାବନ୍ତୁ ତ ଆପଣ ଟିଭି ଓ ଖବର କାଗଜରେ ଯେଉଁ ଚକଚକିଆ ବିଜ୍ଞାପନ ଦେଖୁଛନ୍ତି ସେଥିପାଇଁ କେତେ ଅର୍ଥ ଖର୍ଚ୍ଚ ହେଉଛି । ଏ ଟଙ୍କା କାହାର ? ଏମିତି କିଛି ଖର୍ଚ୍ଚର ହିସାବ କରିବାକୁ ଯାଇ ଜଣା ପଡିଛି ଯେ କେନ୍ଦ୍ର ସରକାର ଏଭଳି ବିଜ୍ଞାପନ ପାଇଁ ଗୋଟିଏ ବର୍ଷ ଅର୍ଥାତ ୨୦୧୯-୨୦ ଆର୍ଥିକ ବର୍ଷରେ ଖର୍ଚ୍ଚ କରିଛନ୍ତି ୭୧୩.୨୦ କୋଟି ଟଙ୍କା । ଅର୍ଥାତ ବିଜ୍ଞାପନ ବାବଦରେ କେନ୍ଦ୍ରସରକାର ଦୈନିକ ୧ କୋଟି ୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଏହି ବିଜ୍ଞାପନ ଖର୍ଚ୍ଚରୁ ଅଧିକ ଭାଗ ଇଲେକ୍ଟ୍ରୋନିକ୍ସ ମିଡିଆ ଭାଗରେ ପଡିଛି । ସୂଚନା ଅଧିକାର ବଳରେ ଏଭଳି ତଥ୍ୟ ହସ୍ତଗତ ହୋଇଛି ।

ମୁମ୍ବାଇର ସୂଚନା ଅଧିକାରୀ କର୍ମୀ ଜତିନ ଦେଶାଇ ଏନେଇ ଆବେଦନ କରିଥିଲେ । ଏଥିରେ ମିଳିଥିବା ତଥ୍ୟ ମୁତାବକ ବୈଦୁତିକ, ମୁଦ୍ରିତ ଗଣମାଧ୍ୟମ ଓ ଆଉଟଡୋର ମିଡିଆ ପ୍ରଚାରରେ ୨୦୧୯-୨୦ ଆର୍ଥିକ ବର୍ଷରେ ୭୧୩.୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏନେଇ ତଥ୍ୟ ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ବ୍ୟୁରୋ ଅଫ୍ ଆଉଟରିଚ୍ ଆଣ୍ଡ କମ୍ୟୁନିକେସନ (ବିଓଆର ) । ଏହି ତଥ୍ୟ ମୁତାବକ ବୈଦୁତିକ ଗଣମାଧ୍ୟମକୁ ୩୧୭.୦୫ କୋଟି ଟଙ୍କା ଯାଇଥିବା ବେଳେ ମୁଦ୍ରିତ ଗଣମାଧ୍ୟମକୁ ୨୯୫.୦୫ କୋଟି ଓ ଆଉଟଡୋର ମିଡିଆକୁ ୧୦୧.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର