ମଙ୍କିପକ୍ସ ଟିକା ବିକାଶ ପାଇଁ ଟେଣ୍ଡର ଆହ୍ବାନ କଲା କେନ୍ଦ୍ର

ନୂଆଦିଲ୍ଲୀ : ଭାରତରେ ମଙ୍କିପକ୍ସ ସଂକ୍ରମଣ ଧୀରେ ଧୀରେ ବଢୁଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ପୂର୍ବରୁ କେବଳ ବିଦେଶ ଫେରନ୍ତା ଲୋକଙ୍କ ଶରୀରରେ ଏହି ସଂକ୍ରମଣ ଦେଖାଯାଇଥିବାବେଳେ ଦିଲ୍ଲୀରେ ବିଦେଶ ଯାତ୍ରା କରିନଥିବା ଜଣେ ବ୍ୟକ୍ତି ଆକ୍ରାନ୍ତ ହେବା ସରକାରଙ୍କୁ ଅଧିକ ଚିନ୍ତାରେ ପକାଇଦେଇଛି । ଏହାକୁ ଦୃଷ୍ଟିରେ ରଖି ମଙ୍କିପକ୍ସ ନିମନ୍ତେ ଏକ ଟିକା ବାହାର କରିବାକୁ ଭାରତ ସରକାରଙ୍କ ଅଧିନସ୍ଥ ଆଇସିଏମଆର ( ଭାରତୀୟ ଭେଷଜ ଗବେଷଣା ପରିଷଦ) ପକ୍ଷରୁ ଟିକା, ଔଷଧ ପ୍ରସ୍ତୁତକାରୀ କମ୍ପାନିମାନଙ୍କଠାରୁ ପ୍ରସ୍ତାବ ଆହ୍ବାନ କରାଯାଇଛି । ଏହା ସହିତ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ପାଇଁ ଏକ ଟେଷ୍ଟିଂ କିଟ୍ ବିକାଶ ପାଇଁ ମଧ୍ୟ ବିଡ୍ ଆହ୍ବାନ କରାଯାଇଛି । ବି଼ଡ୍ ଦାଖଲର ଶେଷ ତାରିଖ ଅଗଷ୍ଟ ୧୦ ରଖାଯାଇଛି ।

ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ମଙ୍କିପକ୍ସ ପାଇଁ ଗୋଟିଏ ଟିକା ୨୦୧୯ରୁ ଉପଲବ୍ଧ ଥିବାବେଳେ ୨୦୨୨ରେ ଏହାର ଏକ ଚିକିତ୍ସା ପଦ୍ଧତି ଉପଲବ୍ଧ ରହିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତି ପାଇଁ ଏହା ପର୍ଯ୍ୟାପ୍ତ ହେଉନଥିବାରୁ ନୂଆ ଟିକା ବିକାଶର ଆବଶ୍ୟକତା ରହିଛି ।

ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା ଯେ ମଙ୍କିପକ୍ସ ପାଇଁ ସାମୁହିକ ଟିକାକରଣର ଆବଶ୍ୟକତା ନାହିଁ । ବରଂ ଯେଉଁମାନେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେମାନଙ୍କୁ ନିର୍ଦ୍ଧିଷ୍ଟ ଭାବେ ମଙ୍କିପକ୍ସ ଟିକା ଦିଆଯାଇପାରେ ।  ଗତ ସପ୍ତାହରେ ହୁ ମଙ୍କିପକ୍ସ ସଂକ୍ରମଣକୁ ଅନ୍ତର୍ଜାତୀୟ ଚିନ୍ତା ବୋଲି କହିଥିଲା ।

 

ସମ୍ବନ୍ଧିତ ଖବର