ଚଣ୍ଡୀଗଡ଼: ନିକଟ ଅତୀତରେ ଉଚ୍ଛେଦ ହୋଇଥିବା ୩ କୃଷି ଆଇନକୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କର କୌଣସି ଯୋଜନା ନାହିଁ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସ୍ପଷ୍ଟିକରଣ ଦେଇ କହିଛନ୍ତି।
ସେ କହିଛନ୍ତି, କୃଷି ଆଇନ ସବୁକୁ ଫେରାଇ ଆଣିବା ନିମନ୍ତେ ସରକାରଙ୍କର କୌଣସି ଯୋଜନା ନାହିଁ। କୃଷକମାନଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି ସଂସ୍କାର ଆଇନଗୁଡ଼ିକୁ ପ୍ରତ୍ୟାହାର କରିନେବା ଲାଗି ନିଷ୍ପତ୍ତି ନେଇଥିଲେ।
ସୂଚନାଯୋଗ୍ୟ, ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଆବଶ୍ୟକ ସଂଶୋଧନ କରି ପୁନଶ୍ଚ କୃଷି ଆଇନ ପ୍ରବର୍ତ୍ତନ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଥିବା କଥା କଂଗ୍ରେସ ଅଭିଯୋଗ କରିବା ପରେ କେନ୍ଦ୍ର କୃଷିମନ୍ତ୍ରୀ ଉପରୋକ୍ତ ସ୍ପଷ୍ଟିକରଣ ଦେଇଛନ୍ତି।
ଏ ବିଷୟରେ କଂଗ୍ରେସ ବିଭ୍ରାନ୍ତ ସୃଷ୍ଟି କରୁଛି ବୋଲି ତୋମାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ବିଭ୍ରାନ୍ତ ବିସ୍ତାର କରି କଂଗ୍ରେସ ତା’ର ବିଫଳତା ଘୋଡ଼ାଇବାକୁ ଉଦ୍ୟମ କରୁଛି। ଏଥିପ୍ରତି କୃଷକମାନେ ସାବଧାନ ହେବା ଉଚିତ।