କେନ୍ଦ୍ର ବଡ଼ ଭାଇ ଭଳି ସାହାଯ୍ୟ କରୁ : ବିଜେଡି

ନୂଆଦିଲ୍ଲୀ : ଓଡ଼ିଶାରେ ରେଳ ବିକାଶ ପାଇଁ କେନ୍ଦ୍ର ସରକାର ବଡ଼ଭାଇ ଭଳି ବଡ଼ ମନ ନେଇ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରନ୍ତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ରେଳ ବିକାଶ ପାଇଁ ସକା‌ରାତ୍ମକ ମନୋଭାବ ପୋଷଣ କରିଆସିଛନ୍ତି। ରେଳ ପ୍ରକଳ୍ପ ପାଇଁ ମାଗଣା ଜମି, ଷ୍ଟାମ୍ପ୍‌ ଡ୍ୟୁଟି ଓ ପଞ୍ଜିକରଣ ବାବଦରେ ରିହାତି ତଥା ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ମଧ୍ୟ ପ୍ରଦାନ କରୁଛନ୍ତି। ତେଣୁ ଓଡ଼ିଶାରେ ରେଳ ବିକାଶ ପାଇଁ କେନ୍ଦ୍ରକୁ ଅଧିକ ଫୋକସ୍ କରିବାକୁ ପଡ଼ିବ। ହେଲେ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ଦ୍ବାରା ଓଡ଼ିଶା ପ୍ରତି ଆଶାନୁରୂପ ଆବଣ୍ଟନ କରାଯାଇନାହିଁ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟବାସୀ ଏନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଆଜି ଲୋକସଭାରେ ରେଳବଜେଟ୍ ଆଲୋଚନାରେ ଭାଗ ନେଇ ଏକଥା କହିଛନ୍ତି ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ। ଶ୍ରୀ ସାହୁ ତାଙ୍କର ଭାଷଣରେ ଖୋର୍ଦ୍ଧା-ବାଲାଙ୍ଗିର, ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନାଗିରି ଓ ତାଳଚେର-ବିମଳାଗଡ଼ ରେଳ ଲାଇନରେ କାର୍ଯ୍ୟଜାରି ରହିଥିବା ବେଳେ ବଜେଟ୍ ଆବଣ୍ଟନ ପର୍ଯ୍ୟାପ୍ତ ହୋଇନାହିଁ ବୋଲି କହିଥିଲେ। ରେଳ ବଜେଟ୍‌ରେ ଓଡ଼ିଶାର ଆବଣ୍ଟନକୁ ବୃଦ୍ଧି କରାଯାଉ ଯାହାଦ୍ବାରା ଜାରି ରହିଥିବା ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକ ଶେଷ ହୋଇପାରିବ ବୋଲି ଚନ୍ଦ୍ରଶେଖର କହିଛନ୍ତି।

ରେଳ ବେଜେଟ୍‌ରେ କୌଣସି ନୂଆ ରେଳ ଲାଇନ୍ ଘୋଷଣା କରାଯାଇ ନାହିଁ । ଚଳିତ ରେଳ ବଜେଟ୍ ଆବଣ୍ଟନରେ ଓଡ଼ିଶାରେ ଜାରି ରହିଥିବା କିଛି ପ୍ରକଳ୍ପ ପାଇଁ ସ୍ପଳ୍ପ ପରିମାଣର ଅର୍ଥରାଶି ଆବଣ୍ଟନ କରାଯାଇଛି। ପୁରୀ ରେଳ ଷ୍ଟେସନ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ସ୍ବତନ୍ତ୍ର ଅନୁଦାନ ବ୍ୟବସ୍ଥା କରିବା ପାଇଁ ସେ ବଜେଟ୍ ଭାଷଣରେ ଉଲ୍ଲେଖ କରିଥିଲେ। କଳାହାଣ୍ଡିର ଲୋକମୋଟିଭ୍ ଵାର୍କସପ୍ ପାଇଁ ଚଳିତ ରେଳ ବଜେଟ୍‌ରେ ଏକ ୧ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି ଏବଂ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଥିଲେ। ଏଥିଯୋଗୁଁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେବା ସହ ନିଯୁକ୍ତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର