ଅଶାନ୍ତ ଜମ୍ମୁ- କଶ୍ମୀରରେ ଶାନ୍ତି ବାହାଲ ସହ ନିର୍ବାଚନ କରାଇବା ପାଇଁ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ: ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଅଶାନ୍ତ ଜମ୍ମୁ- କଶ୍ମୀରରେ ଶାନ୍ତି ବାହାଲ କରିବା ପାଇଁ ପ୍ରାଥମିକତା ସହ ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ପରିପ୍ରେକ୍ଷୀରେ ଆଜି (ମଙ୍ଗଳବାର) କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଏକ ରୁଦ୍ଧଦ୍ୱାର ବୈଠକର ଆୟୋଜନ କରିବା ସହ ଜମ୍ମୁ- କଶ୍ମୀର ସ୍ଥିତିର ସମୀକ୍ଷା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା। ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ଏହି ରୁଦ୍ଧଦ୍ୱାର ବୈଠକରେ ଜମ୍ମୁ- କଶ୍ମୀର ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକ୍‌, ଗୁଇନ୍ଦା ବିଭାଗ ମୁଖ୍ୟ ଓ ଗୃହ ସଚିବ ଉପସ୍ଥିତ ରହି ଜମ୍ମୁ- କଶ୍ମୀରର ତାଜା ସ୍ଥିତି ସଂପର୍କରେ ସବିଶେଷ ତଥ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ଜାଣିବାକୁ ମିଳିଛି।

ଏହି ରୁଦ୍ଧଦ୍ୱାର ବୈଠକ ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଜମ୍ମୁ- କଶ୍ମୀରରେ ମେହବୁବା ମୁଫ୍‌ତିଙ୍କ ସରକାରର ପତନ ପରେ ଏବେ ରାଷ୍ଟ୍ରପତି ଶାସନ ଅଧୀନରେ ରହିଥିବା ଜମ୍ମୁ- କଶ୍ମୀରକୁ ଆଉ ଅଧିକକାଳ ପାଇଁ ରାଷ୍ଟ୍ରପତି ଶାସନ ଅଧୀନରେ ରଖିବାକୁ ଚାହୁଁ ନାହାନ୍ତି ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା। ସେଥିପାଇଁ ଜମ୍ମୁ- କଶ୍ମୀରରେ ଜାରି ଥିବା ରାଷ୍ଟ୍ରପତି ଶାସନକୁ ଉଠାଇନେଇ ସେଠାରେ ଏକ ନିର୍ବାଚିତ ସରକାର ପ୍ରତିଷ୍ଠା କରାଇବା ସପକ୍ଷରେ ରହିଛନ୍ତି ଶ୍ରୀ ଶାହା।

News Nation

ତେବେ, ଜମ୍ମୁ- କଶ୍ମୀରରେ ନୂତନ ନିର୍ବାଚନ ପୂର୍ବରୁ ଜମ୍ମୁ- କଶ୍ମୀର ନିର୍ବାଚନ ଓ ଲୋକ ପ୍ରତିନିଧି ଆଇନ୍‌ରେ ପରିବର୍ତ୍ତନ ସହ ନିର୍ବାଚନ ମଣ୍ଡଳୀର ପୁନର୍ଗଠନ କରିବାକୁ ଚାହୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ବିଗତ ୧୯୩୯ରେ ଗଠିତ ହୋଇଥିଲା ଜମ୍ମୁ- କଶ୍ମୀର ବିଧାନସଭା। ସେତେବେଳର ଶେଖ୍‌ ଅବଦୁଲ୍ଲାଙ୍କ ସରକାରରେ କଶ୍ମୀରରେ ୪୩, ଜମ୍ମୁରେ ୩୦ ଓ ଲଦାଖ ଅଞ୍ଚଳରେ ୨ଟି ଆସନ ଥିଲା। ଏବେ ଅବଶ୍ୟ ଆସନ ସଂଖ୍ୟା ବୃଦ୍ଧି ପାଇ କଶ୍ମୀରରେ ୪୬, ଜମ୍ମୁରେ ୩୭ ଓ ଲଦାଖ ଅଞ୍ଚଳରେ ୪ଟି ଆସନ ରହିଛି। କିନ୍ତୁ, ଏସବୁ ବିଧାନସଭା ଆସନର ସୀମା ନିର୍ଦ୍ଧାରଣ ହୋଇ ନାହିଁ। ତେଣୁ, ଜମ୍ମୁ- କଶ୍ମୀରରେ ଆସନ୍ତା ନିର୍ବାଚନ ନିର୍ବାଚନ ପୂର୍ବରୁ ଏଥିରେ ପରିବର୍ତ୍ତନ ଆଣିବାକୁ ଚାହୁଁଛନ୍ତି ଦେଶର ନୂତନ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍‌ୀ ଶାହା।

ସମ୍ବନ୍ଧିତ ଖବର