ଜମ୍ମୁ ଓ କଶ୍ମୀରରେ ଦିଲ୍ଲୀ ମଡେଲ୍‌ ଲାଗୁ କଲେ କେନ୍ଦ୍ର ସରକାର, ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପରାଜ୍ୟପାଳଙ୍କ ହାତରେ ଅଧିକ କ୍ଷମତା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ ଓ କଶ୍ମୀର ପ୍ରଶାସନରେ ଦିଲ୍ଲୀ ମଡେଲ୍‌ ଲାଗୁ କରି ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଉପରାଜ୍ୟପାଳଙ୍କ ହାତରେ ଅଧିକ କ୍ଷମତା ନ୍ୟସ୍ତ କରିଛନ୍ତି। ଏଥିନିମନ୍ତେ ଅଗଷ୍ଟ ୨୮ ତାରିଖ ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀର ନିମନ୍ତେ ଏକ ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି। ପୁଲିସ, ସର୍ବସାଧାରଣ ଶୃଙ୍ଖଳା, ସର୍ବଭାରତୀୟ ସେବା ଏବଂ ଦୁର୍ନୀତି ନିବାରଣ ବ୍ୟୁରୋ ଆଦି ବିଭାଗ ଉପରାଜ୍ୟପାଳଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣରେ ରହିବ ବୋଲି କୁହାଯାଇଛି।

ଭବିଷ୍ୟତ ପାଇଁ କେନ୍ଦ୍ର ସରକାରଙ୍କ ନିଯୁକ୍ତ କାର୍ଯ୍ୟକର୍ତ୍ତା ଏବଂ ବିଧାୟକମାନଙ୍କ ଦାୟିତ୍ବ ସବୁ ଏଥିରେ ପୃଥକ୍ କରାଯାଇଛି। ଗୃହ ବ୍ୟାପାର ମନ୍ତ୍ରାଳୟ ବିଜ୍ଞପ୍ତି ଅନୁସାରେ, କୌଣସି ପ୍ରସଙ୍ଗରେ ଉପରାଜ୍ୟପାଳ ଏବଂ ମନ୍ତ୍ରୀ ପରିଷଦ୍ ମଧ୍ୟରେ ମନୋମାଳିନ୍ୟ ହେଲେ ଉପରାଜ୍ୟପାଳ ତାହା ବିଚାର ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବେ।

Image Courtesy of NDTV

ସେଥିରେ ଲେଖଅଛି, ମତପାର୍ଥକ୍ୟ ଲାଗି ରହିଲେ, ଉପରାଜ୍ୟପାଳ ସେ ପ୍ରସଙ୍ଗକୁ ମନ୍ତ୍ରୀ ପରିଷଦ୍‌ଙ୍କ ନିକଟକୁ ପଠାଇ ପାରିବେ। ମନ୍ତ୍ରୀ ପରିଷଦ୍ ପରବର୍ତ୍ତୀ ବୈଠକରେ ତାହାର ବିଚାର କରି ୧୫ ଦିନ ମଧ୍ୟରେ ନିଷ୍ପତ୍ତି ଜଣାଇବେ। ଯଦି ୧୫ ଦିନ ମଧ୍ୟରେ କୌଣସି ନିଷ୍ପତ୍ତି ନ ଆସେ ତେବେ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ମନ୍ତ୍ରୀ ପରିଷଦ୍‌ ଗ୍ରହଣ କଲେ ବୋଲି ଧରିନିଆଯିବ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ବିଜ୍ଞାପିତ ଏହି ନିୟମ ଅନୁସ‌ାରେ, କେନ୍ଦ୍ରଶାସିତ ଅଞ୍ଚଳର ଶାନ୍ତି ଓ ସ୍ଥିରତା କିଂବା ସଂଖ୍ୟାଲଘୁମାନଙ୍କର ସ୍ବାର୍ଥ ଆଦି ପ୍ରସଙ୍ଗରେ କୌଣସି ଆଦେଶ ଜାରି କରିବା ପୂର୍ବରୁ ତାହାକୁ ମୁଖ୍ୟ ଶାସନ ସଚିବଙ୍କ ଜରିଆରେ, ମୁଖ୍ୟମନ୍ତ୍ରୀଙ୍କ ଗୋଚରରେ ଉପରାଜ୍ୟପାଳଙ୍କ ନିକଟରେ ଦାଖଲ କରାଯିବ।

ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ, କୃଷି, ସ୍କୁଲ୍‌ ଶିକ୍ଷା, ଉଚ୍ଚ ଶିକ୍ଷା, ଉଦ୍ୟାନକୃଷି, ନିର୍ବାଚନ, ସାଧାରଣ ପ୍ରଶାସନ, ଗୃହ, ଖଣି, ଶକ୍ତି, ପିଡବ୍ଲୁଡି, ପରିବହନ ଓ ଜନଜାତି ବ୍ୟାପାର ସମେତ କେନ୍ଦ୍ରଶାସିତ ଅଞ୍ଚଳରେ ୩୯ଟି ବିଭାଗ ରହିବ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମନ୍ତ୍ରୀ ପରିଷଦ୍‌ ଅଣ-ସର୍ବଭାରତୀୟ ସେବା ଅଧିକାରୀ, ନୂଆ ଟିକସ ପ୍ରଣୟନ ପ୍ରସ୍ତାବ, ଭୂମିକର, ସରକାରୀ ସମ୍ପତ୍ତିର ବିକ୍ରୟ ମଞ୍ଜୁରି କିଂବା ଲିଜ୍, ଅଫିସ୍ ବା ବିଭାଗମାନଙ୍କର ପୁନର୍ଗଠନ ଏବଂ ଚିଠା ପ୍ରସ୍ତାବନା ପ୍ରସଙ୍ଗରେ ନିଷ୍ପତ୍ତି ନେବେ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି।

 

 

ସମ୍ବନ୍ଧିତ ଖବର