ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୨ ବର୍ଷ ପାଇଁ ହଜ୍ ଯାତ୍ରା ନିୟମାବଳୀ ଜାରି କରିଛନ୍ତି । ଏହା ସହିତ ହଜ ତୀର୍ଥଯାତ୍ରୀଙ୍କ ଚୟନ ପ୍ରକ୍ରିୟା ପାଇଁ ଗାଇଡଲାଇନ ଜାରି ହୋଇଛି । ଯେଉଁ ବ୍ୟକ୍ତି ଦୁଇଟି ମାତ୍ରା କରୋନା ଟିକା ନେଇଥିବେ ସେମାନେ ଏଥିପାଇଁ ଆବେଦନ କରିପାରିବେ । ଏହାସହିତ ଯାତ୍ରୀ ଚୟନ ପାଇଁ ଉଭୟ ଭାରତ ଓ ସାଉଦି ଆରବ ସରକାର ଜାରି କରିଥିବା ନିୟମାବଳୀକୁ ଅନୁସରଣ କରାଯିବ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୨୦୨୨ ହଜ୍ ଯାତ୍ରା ପାଇଁ ନଭେମ୍ବର ମାସ ପ୍ରଥମ ସପ୍ତାହରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏହା ପରେ ଅନଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ।
ଆଜି ଏକ ସମୀକ୍ଷା ବୈଠକ କରି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଅବ୍ବାସ ନକଭୀ କହିଛନ୍ତି ଯେ ସବୁ ଯାତ୍ରୀମାନଙ୍କୁ ଇ-ମସିହା ଡିଜିଟାଲ ହେଲଥ କାର୍ଡ ପ୍ରଦାନ କରାଯିବ । ଏହା ସହିତ ମକ୍କା ଓ ମଦିନା ସହରରେ ଥିବା ରହଣି ଓ ଗମନାଗମନ ସୁବିଧା ସଂପର୍କରେ ଅନଲାଇନରେ ଜାଣିହେବ । ଏ ବର୍ଷ ସଂପୂର୍ଣ୍ଣ ହଜ ପ୍ରକ୍ରିୟା ଶତ ପ୍ରତିଶତ ଡିଜିଟାଲ ହେବ । ଏହା ସହିତ ସଂପୂର୍ଣ୍ଣ କୋଭିଡ୍ କଟକଣା ପାଳନ ହେବ ବୋଲି ନକଭୀ କହିଛନ୍ତି ।