ନୂଆଦିଲ୍ଲୀ: ସେପ୍ଟେମ୍ବର ୭ ତାରିଖରୁ ପର୍ଯ୍ୟାୟକ୍ରମେ ପୁନଃଚଳାଚଳ ଆରମ୍ଭ କରୁଥିବା ମେଟ୍ରୋ ରେଳ ସେବା ନିମନ୍ତେ ଆଜି କେନ୍ଦ୍ର ସରକାର ଅନ୍ଲକ୍ ୪.୦ ଅଧୀନରେ ‘ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିଜିଓର୍’ (ଏସ୍ଓପି) ଜାରି କରିଛନ୍ତି। ଆସନ୍ତା ୧୨ ତାରିଖ ମଧ୍ୟରେ ମେଟ୍ରୋ ରେଲ୍ର ସମସ୍ତ କରିଡର୍ କାର୍ଯ୍ୟକ୍ଷମ ହେବ ବୋଲି ଉକ୍ତ ଘୋଷଣାରେ କେନ୍ଦ୍ର ଗୃହ ନିର୍ମାଣ ଓ ନଗର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି।
‘ଏସ୍ଓପି’ରେ କୁହାଯାଇଛି ଯେ, କଣ୍ଟେନ୍ମେଣ୍ଟ୍ ଜୋନ୍ ଅଧୀନରେ ଆସୁଥିବା ସମସ୍ତ ଷ୍ଟେସନ୍ ବନ୍ଦ ରହିବ। ଅର୍ଥାତ ସେଠାରୁ ଯାତ୍ରୀ ଉଠି ପାରିବେ ନାହିଁ କି, ଓହ୍ଲାଇ ପାରିବେ ନାହିଁ।
ଥର୍ମାଲ୍ ସ୍କାନିଙ୍ଗ୍ କରାଯିବା ପରେ କେବଳ ଲକ୍ଷଣହୀନ ଲୋକମାନଙ୍କୁ ଟ୍ରେନ୍ ଚଢ଼ିବାକୁ ଅନୁମତି ମିଳିବ।
ସାମାଜିକ ଦୂରତା ବଜାୟ ରଖିବାକୁ ମେଟ୍ରୋ ଟ୍ରେନ୍ଗୁଡ଼ିକ ଗୋଟାଏ ଗୋଟାଏ ଷ୍ଟେସନ୍ରେ ଅଟକି ନ ପାରନ୍ତି।
ଯାତ୍ରା ସମୟରେ ସର୍ବନିମ୍ନ ଲଗେଜ୍ ନେଇ ଯାତ୍ରା ପାଇଁ ଅନୁମତି ମିଳିବ। କିନ୍ତୁ, କୌଣସି ଧାତବ ସାମଗ୍ରୀ ନେଇ ଯାତ୍ରା କରିହେବନାହିଁ।
ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଷ୍ଟେସନ୍ ଏବଂ ଟ୍ରେନ୍ ମଧ୍ୟରେ ଯଥାରୀତି ଚିହ୍ନ ଦିଆଯିବ।
ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କ ଲାଗି ଫେସ୍ମାସ୍କ୍ ପରିଧାନ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କ୍ରେ ଆସିଥିବା ଦେୟ ପୈଠ କଲେ ମେଟ୍ରୋ ରେଳ ନିଗମ ମାସ୍କ୍ ଯୋଗାଇବାର ବ୍ୟବସ୍ଥା କରି ପାରେ।
/sambad/media/post_attachments/wp-content/uploads/2020/09/metro1.jpg)
ଆରୋଗ୍ୟ ସେତୁ ଆପ୍ ବ୍ୟବହାରକୁ ଉତ୍ସାହ ଦିଆଯିବ।
ଯାତ୍ରୀମାନଙ୍କ ବ୍ୟବହାର ଲାଗି ପ୍ରବେଶ ଫାଟକରେ ସାନିଟାଇଜର୍ ବ୍ୟବସ୍ଥା କରାଯିବ।
ଉପକରଣ, ଟ୍ରେନ୍, କାର୍ଯ୍ୟକ୍ଷେତ୍ର, ଲିଫ୍ଟ୍, ଏସ୍କାଲେଟର୍, ହ୍ୟାଣ୍ଡ୍ରେଲ୍, ଏଏଫ୍ସି ଗେଟ୍, ଶୌଚାଳୟ ଆଦି ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ।
ସ୍ମାର୍ଟ କାର୍ଡ ଓ କ୍ୟାସ୍ଲେସ୍/ଅନ୍ଲାଇନ୍ ଦେଣନେଣ ଉତ୍ସାହିତ କରାଯିବ। ଉପଯୁକ୍ତ ସାନିଟାଇଜେସନ୍ କରାଯାଇ ଟୋକେନ୍ ଏବଂ କାଗଜ ସ୍ଲିପ୍/ଟିକେଟ୍ ଆଦି ବ୍ୟବହାର କରାଯିବ।
ଲୌକିକ ଦୂରତ୍ବ ସହ ସୁବିଧାରେ ଟ୍ରେନ୍ରେ ଚଢ଼ିବା ଓ ଓହ୍ଲାଇବା ପାଇଁ ଷ୍ଟେସନ୍ରେ ଯଥେଷ୍ଟ ସମୟ ଦିଆଯିବ।
କେନ୍ଦ୍ର ସରକାର କହିଛନ୍ତି ଯେ, ଦିଲ୍ଲୀ, ନଇଡ଼ା, ଚେନ୍ନାଇ, କୋଚି, ବାଙ୍ଗାଲୋର୍, ଜୟପୁର, ହାଇଦ୍ରାବାଦ, କୋଲକାତା, ଗୁଜରାଟ ଏବଂ ୟୁପି ମେଟ୍ରୋ (ଲକ୍ଷ୍ନୌ) ଉପରୋକ୍ତ ଗାଇଡ୍ଲାଇନ୍ ଆଧାରରେ ନିଜସ୍ବ ‘ଏସ୍ଓପି’ ପ୍ରସ୍ତୁତ କରିଛନ୍ତି।
ଅକ୍ଟୋବର ୨୦ ତାରିଖରୁ ମହାରାଷ୍ଟ୍ର ସରକାର ମେଟ୍ରୋ ରେଳସେବା ପୁନଃଆରମ୍ଭ କରିବ ବୋଲି କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।