ମାନସିକ ସ୍ୱାସ୍ଥ୍ୟ ହେଲ୍‌ପଲାଇନ ‘କିରଣ’ ଉଦ୍‌ଘାଟିତ: ଓଡ଼ିଆ ସମେତ ୧୩ଟି ଭାଷାରେ ଯୋଗାଇବ ୨୪ ଘଣ୍ଟିଆ ମାଗଣା ସେବା

ମାନସିକ ବିଶାଦ ଓ ଚାପଗ୍ରସ୍ତ ରୋଗୀଙ୍କୁ ଯୋଗାଇବ ଚିକିତ୍ସା ଓ ପରାମର୍ଶ

ନୂଆଦିଲ୍ଲୀ: ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି (ସୋମବାର) ଏକ ୨୪ ଘଣ୍ଟିଆ (୨୪x୭) ଟୋଲ୍‌ ଫ୍ରି (ମାଗଣା) ମାନସିକ ପୁନର୍ବାସ ହେଲ୍‌ପଲାଇନ ଆରମ୍ଭ କରାଯାଇଛି।
‘କିରଣ’ (୧୮୦୦-୫୯୯-୦୦୧୯) ନାମରେ ନାମିତ ଏହି ମାନସିକ ସ୍ୱାସ୍ଥ୍ୟ ହେଲପ୍‌ଲାଇନ୍‌ ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାରତୀୟ ଭାଷାରେ ଲୋକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବ ବୋଲି ଏହାକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲୋଟ୍‌।

NewsNation

ମାନସିକ ରୋଗ ଓ ମାନସିକ ଚାପରେ ପୀଡ଼ିତ ଥିବା ଯେ କେହି ବ୍ୟକ୍ତି ବା ସେମାନଙ୍କ ପରିବାର ବର୍ଗ ଏହି ହେଲପ୍‌ଲାଇନ୍‌ ନମ୍ବରକୁ ଫୋନ୍‌ କଲେ ତାଙ୍କୁ ଚିକିତ୍ସା ସଂପର୍କିତ ସବିଶେଷ ତଥ୍ୟ ଯୋଗାଇ ଦିଆଯିବ। ଏହି ହେଲପ୍‌ଲାଇନ୍‌ ଜରିଆରେ ୬୬୮ ଜଣ ମନୋବିଜ୍ଞାନୀ ଓ ସାଇକ୍ରିଆଟିକ୍‌ ପ୍ରାଥମିକ ଚିକିତ୍ସା ସହ ସମସ୍ତ ପ୍ରକାରର ଆବଶ୍ୟକୀୟ ପରାମର୍ଶ ଯୋଗାଇଦେବେ। ହେଲ୍‌ପଲାଇନରେ ଓଡ଼ିଆ ସମେତ ହିନ୍ଦୀ, ଆସାମ, ତାମିଲ, ମରାଠୀ, ତେଲୁଗୁ, ମାଲାୟାଲମ୍‌, ଗୁଜୁରାଟୀ, ପଞ୍ଜାବୀ, କନ୍ନଡ, ବଙ୍ଗାଳୀ, ଉର୍ଦ୍ଦୁ ଏବଂ ଇଂରାଜୀ ଭଳି ୧୩ଟି ଆଞ୍ଚଳିକ ଭାଷାରେ ଲୋକମାନଙ୍କୁ ସେବା ଉପଲବ୍ଧ ହେବ।
ସଂପ୍ରତି କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଦେଶରେ ମାନସିକ ବିଶାଦ ଓ ଚାପଗ୍ରସ୍ତ ରୋଗୀଙ୍କ ସଂଖ୍ୟାରେ ଅହେତୁକ ଭାବେ ବୃଦ୍ଧି ଘଟିଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାନସିକ ସ୍ୱାସ୍ଥ୍ୟ ପାଇଁ ଏହି ମାଗଣା ହେଲପ୍‌ ଲାଇନ୍‌ ନମ୍ବରର ପ୍ରଚଳନ କରାଯାଇଛି।

ସମ୍ବନ୍ଧିତ ଖବର