ନୂଆଦିଲ୍ଲୀ : ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୩୭୭ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରାଯିବ କି ନାହିଁ ସେ ନେଇ ସୁପ୍ରିମ୍କୋର୍ଟ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। କେନ୍ଦ୍ର ସରକାର ଏ ସଂକ୍ରାନ୍ତରେ ନିଜ ପକ୍ଷରୁ କୌଣସି ଯୁକ୍ତି ଉପସ୍ଥାପନ ନ କରି ଶେଷରେ ସୁପ୍ରିମ୍କୋର୍ଟଙ୍କ ଉପରେ ସବୁ ଛାଡ଼ି ଦେଇଛନ୍ତି। କହିଛନ୍ତି, ୩୭୭ ଧାରାର ସାମ୍ବିଧାନିକ ବୈଧତା ସମ୍ପର୍କରେ ସର୍ବୋଚ୍ଚ ଅଦାଲତ ଯାହା କିଛି ବି ନିଷ୍ପତ୍ତି ନେବେ, ସେଥିରେ ସରକାର କୌଣସି ହସ୍ତକ୍ଷେପ କରିବେ ନାହିଁ କି ଏହା ଉପରେ ଭବିଷ୍ୟତରେ ଆପତ୍ତି ଉଠାଇବେ ନାହିଁ। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ପୀଠ ନିଜ ଜ୍ଞାନ ଆଧାରରେ ଯେଉଁ ନିଷ୍ପତ୍ତି ନେବେ ତାହା ହିଁ ଚୂଡ଼ାନ୍ତ ହେବ।
ଅନ୍ୟପକ୍ଷରେ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଧାରା ୩୭୭କୁ ଅବୈଧ ଘୋଷଣା କରାଯିବା ଦ୍ୱାରା ଏଲ୍ଜିବିଟି ସମ୍ପ୍ରଦାୟ ସୁରୁଖୁରୁରେ ବଞ୍ଚିପାରିବେ। ସେହିପରି ଦୁଇଜଣ ସମଲିଙ୍ଗୀ ବ୍ୟକ୍ତି ହାତ ଧରାଧରି ହୋଇ ମୁମ୍ବାଇର ମେରାଇନ୍ ଡ୍ରାଇଭ୍ରେ ଚାଲୁଥିବା ସମୟରେ କୌଣସି ପୁଲିସ ସେମାନଙ୍କୁ ୩୭୭ ନାମରେ ଗିରଫ କରୁ ବୋଲି ସର୍ବୋଚ୍ଚ ଅଦାଲତ କଦାପି ଚାହିବେ ନାହିଁ। ଏହି ଧାରା ଦ୍ୱାରା ଯେମିତି କୌଣସି ଲୋକଙ୍କୁ କ୍ଷତି ନ ପହଞ୍ଚେ ତାହା ଆମେ ଚାହୁ ବୋଲି ଖଣ୍ଡପୀଠ ଦର୍ଶାଇଛନ୍ତି। ଖଣ୍ଡପୀଠଙ୍କ କହିବାନୁସାରେ ନିଯୁକ୍ତି ଓ ଅନ୍ୟ ସୁବିଧାସୁଯୋଗ କ୍ଷେତ୍ରରେ ଏଲ୍ଜିବିଟି ସମ୍ପ୍ରଦାୟ ଯେଉଁ ବୈଷମ୍ୟର ଶିକାର ହେଉଛନ୍ତି ତାହା ଧାରା ୩୭୭ର ଉଚ୍ଛେଦ ଦ୍ୱାରା ଆଉ ରହିବ ନାହିଁ। ସମାଜରେ ସେମାନଙ୍କର ଅଧିକାର ବ୍ୟାପକ ହେବ। ସେମାନେ ନିଜ ଜୀବନକୁ ଇଚ୍ଛା ଅନୁସାରେ ଜିଇଁପାରିବେ। ଖଣ୍ଡପୀଠ ଆହୁରି କହିଲେ ଯେ ଦୁଇଜଣ ପ୍ରାପ୍ତବୟସ୍କ ନିଜ ଇଚ୍ଛା ଅନୁସାରେ ପରସ୍ପର ସହ କୌଣସି ‘ଅପ୍ରାକୃତିକ ଯୌନସମ୍ପର୍କ’ ରଖିଲେ ବି ସେମାନଙ୍କୁ କୌଣସି ଅପରାଧ ପାଇଁ ମାମଲାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ୩୭୭ ଆଧାରରେ ସମଲିଙ୍ଗୀ ସମ୍ପର୍କକୁ କୌଣସି ଅପରାଧ ବୋଲି ବିବେଚନା କରା ନ ଯିବା ଦ୍ୱାରା ସମଲିଙ୍ଗୀ ସମ୍ପ୍ରଦାୟର ସଦସ୍ୟମାନେ କୌଣସି ବାଧାପ୍ରତିବନ୍ଧକ ବିନା ନିର୍ବାଚନ ବି ଲଢ଼ିପାରିବେ।
ଉଲ୍ଲେଖଯୋଗ୍ୟ, ଧାରା ୩୭୭ରେ ରହିଥିବା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ୍ କରି ହୋଇଥିବା ଏକ ଆବେଦନର ବିଚାର କରି ୨୦୦୯ରେ ଦିଲ୍ଲୀ ହାଇକୋର୍ଟ ନିଜ ରାୟରେ ସମଲିଙ୍ଗୀ ସମ୍ପର୍କକୁ ବୈଧ ବୋଲି ଦର୍ଶାଇବା ସହ ଏଥିରେ ଜଡ଼ିତ ଲୋକଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ରାୟ ଦେଇଥିଲେ। କିନ୍ତୁ ପରେ ୨୦୧୩ରେ ସୁପ୍ରିମ୍କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚନା କରି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ ଘୋଷଣା କରିଥିଲେ।