ନୂଆଦିଲ୍ଲୀ : ଦେଶରେ ଗତ ୨୪ ତାରିଖଠାରୁ ଆରମ୍ଭ ହୋଇଥିବା ୨୧-ଦିନିଆ ଲକଡାଉନର ମିଆଦ ବଢାଇବାକୁ ସରକାର ଯୋଜନା କରୁଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ଲକଡାଉନ ମିଆଦ ବଢାଇବାକୁ ରାଜ୍ୟ ସରକାରମାନେ ଦାବି କରୁଛନ୍ତି । କେନ୍ଦ୍ର ସରକାର ରାଜ୍ୟମାନଙ୍କ ଏହି ଦାବିକୁ ଗୁରୁତ୍ୱର ସହ ବିଚାର କରୁଥିବା ଜଣାଯାଇଛି ।

Advertisment

ସରକାରଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ମଧ୍ୟ ଲକଡାଉନ ସମୟ ବଢାଇବା ଲାଗି ସରକାରଙ୍କୁ ସୁପାରିଶ କରିଛି । ସରକାର ଏଦିଗରେ ବିଚାର କରୁଛନ୍ତି ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟପ୍ରକାଶ ପାଇଛି ।

ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସିଂ ସମୟରେ ଲକଡାଉନ ଶେଷ କରିବା ପାଇଁ ଏକ ମିଳିତ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ । ତେବେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କଟକଣାକୁ ଆହୁରି ବଢାଇବାକୁ କେତେକ ରାଜ୍ୟ ଦାବି କରିଥିଲେ ।

ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ । ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୨୧ ରେ ପହଞ୍ଚିଛି । ଏହା ମଧ୍ୟରୁ ୩୯୮୧ଟି ସକ୍ରିୟ ମାମଲା ଓ ୧୧୪ଟି ମୃତ୍ୟୁ ଅନ୍ୟତମ ।