ରାଜୀବ ହତ୍ୟାକାରୀଙ୍କ ମୁକ୍ତି ବିରୋଧରେ ପୁନର୍ବିଚାର ମାମଲା ଦାୟର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଜୀବ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ୬ ଜଣ ଦୋଷୀଙ୍କ ମୁକ୍ତି ରାୟର ପୂନର୍ବିଚାର ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଛନ୍ତି ।

ନିଜର ପିଟିସନରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି ଯେ ସେମାନଙ୍କ ମୁକ୍ତି ସଂପର୍କିତ ରାୟ ଆଇନର ପରିପନ୍ଥୀ । ଏହି ରାୟ ବିରୋଧରେ କୋର୍ଟରେ ଯୁକ୍ତି ଉପସ୍ଥାପନ କରିବାକୁ କେନ୍ଦ୍ର ସରକାର ଏହି ପିଟିସନ ମାଧ୍ୟମରେ କୋର୍ଟଙ୍କ ଅନୁମତି ମାଗିଛନ୍ତି ।

ସୁପ୍ରିମକୋର୍ଟ ଶୁକ୍ରବାରଦିନ ରାଜୀବ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ନଳିନୀ, ଆରପି ରବିଚନ୍ଦ୍ରନ, ରବର୍ଟ ପେସ, ଜୟକୁମାର, ସନ୍ଥନ, ମୁରୁଗାନଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାମଲାରେ ଶୁଣାଣି ବେଳେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ସେମାନଙ୍କ ମୁକ୍ତିକୁ ବିରୋଧ କରିଥିଲା ।

ସୂଚନାଯୋଗ୍ୟ ଯେ, ୧୯୯୧ ମସିହା ମେ ୨୧ରେ ତାମିଲନାଡ଼ୁର ଶ୍ରୀପେରୁମବୁଦୁରଠାରେ ଆତ୍ମଘାତି ବୋମା ବିସ୍ଫୋରଣ କରି ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣା ପରଠାରୁ ପ୍ରାୟ ୩୧ ବର୍ଷ ଧରି ନଳିନୀ, ରବିଚନ୍ଦ୍ରନ ଓ ଅନ୍ୟମାନେ ଜେଲରେ ଥିଲେ । ସେନିଆଙ୍କ କ୍ଷମା ପରେ ୨୦୦୦ରେ ନଳିନୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଯାଇଥିଲା ।

ସମ୍ବନ୍ଧିତ ଖବର